ନୂଆଦିଲ୍ଲୀ: ପଶ୍ଚିମ ଏସିଆ (West Asia)ରେ ଜାରି ସଙ୍କଟ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କୁଏତର ଆମୀର ଶେଖ ମେଶାଲ ଅଲ-ଅହମ୍ମଦ ଅଲ-ଜାବେର ଅଲ ସବାହଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି। ଏହି ଆଲୋଚନା ସମୟରେ ଉଭୟ ନେତା କ୍ଷେତ୍ରୀୟ ସୁରକ୍ଷା ପରିସ୍ଥିତି ଏବଂ ବଦଳୁଥିବା ଭୂ-ରାଜନୀତି ଉପରେ ଚର୍ଚ୍ଚା କରିଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମ ଏସିଆରେ ବଢ଼ୁଥିବା ସାମରିକ ଉତ୍ତେଜନାକୁ ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି।
କୁଏତର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ଉପରେ ହେଉଥିବା ଆକ୍ରମଣକୁ ଭାରତ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଅଞ୍ଚଳରେ ସ୍ଥିରତା ଫେରାଇ ଆଣିବା ପାଇଁ ଯୁଦ୍ଧ ବଦଳରେ ଆଲୋଚନା ଏବଂ କୂଟନୀତି (Diplomacy) ର ସାହାରା ନେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। କୁଏତରେ ରହୁଥିବା ବିଶାଳ ଭାରତୀୟ ପ୍ରବାସୀ ସମୁଦାୟର ସୁରକ୍ଷା ଏବଂ କଲ୍ୟାଣ ପ୍ରତି ବ୍ୟକ୍ତିଗତ ଭାବେ ଧ୍ୟାନ ଦେଉଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ କୁଏତ ଆମୀରଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସେପଟେ ଦୀର୍ଘ ଦିନର ସଂଘର୍ଷ ପରେ ପଶ୍ଚିମ ଏସିଆରୁ ଏକ ଆଶ୍ୱାସନାଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବର୍ତ୍ତମାନ ପାଇଁ ଯୁଦ୍ଧବିରତି (Ceasefire) ଜାରି ରହିଛି। ଇରାନ ସେନା ପକ୍ଷରୁ ସାମରିକ ଆକ୍ରମଣକୁ ସ୍ଥଗିତ ରଖିବା ପାଇଁ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି। ଏହାକୁ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଉତ୍ତେଜନାକୁ ପ୍ରଶମିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି। ତେବେ ଯୁଦ୍ଧବିରତି ସତ୍ତ୍ୱେ ଉଭୟ ଦେଶ ମଧ୍ୟରେ ଏବେ ବି ଆରୋପ-ପ୍ରତ୍ୟାରୋପ ଏବଂ ବାକ୍ ଯୁଦ୍ଧ ଜାରି ରହିଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଦାବି
ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଜାରି ସଂଘର୍ଷର ସମାଧାନ ପାଇଁ ଆମେରିକା ମଧ୍ୟସ୍ଥତା କରୁଥିବା ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି। ନ୍ୟୁୟର୍କରେ ଗଣମାଧ୍ୟମ ସହ ଆଲୋଚନା ବେଳେ ଟ୍ରମ୍ପ କିଛି ତଥ୍ୟ ମଧ୍ୟ ଦେଇଛନ୍ତି । ଟ୍ରମ୍ପଙ୍କ ମଧ୍ୟସ୍ଥତା ପରେ ଇସ୍ରାଏଲ ଏବଂ ଇରାନ କିଛି ସମୟ ପାଇଁ ପରଷ୍ପର ଉପରେ ଆକ୍ରମଣ ନକରିବାକୁ ସହମତି ପ୍ରକାଶ କରିଛନ୍ତି। ଇରାନ ସହିତ ପରମାଣୁ ଚୁକ୍ତି (Nuclear Deal) କୁ ନେଇ ଚାଲିଥିବା ଆଲୋଚନା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ଏହା ଉପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ ବୋଲି ମଧ୍ୟ ଟ୍ରମ୍ପ କହିଛନ୍ତି ।
ଭାରତ-କୁଏତ ଆଲୋଚନା ଗୁରୁତ୍ବପୂର୍ଣ୍ଣ
ଭାରତ ପାଇଁ ପଶ୍ଚିମ ଏସିଆର ସ୍ଥିରତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ଉପରେ ଭାରତର ଶକ୍ତି ସୁରକ୍ଷା (ତୈଳ ଆମଦାନୀ) ଏବଂ ଲକ୍ଷ ଲକ୍ଷ ଭାରତୀୟ ଶ୍ରମିକଙ୍କ ଭବିଷ୍ୟତ ନିର୍ଭର କରେ। କୁଏତ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ବାର୍ତ୍ତାଳାପ ସୂଚାଉଛି ଯେ, ଭାରତ କ୍ଷେତ୍ରୀୟ ଶାନ୍ତି ପ୍ରତିଷ୍ଠା ପାଇଁ ନିଜର କୂଟନୈତିକ ସମ୍ପର୍କକୁ ସକ୍ରିୟ ଭାବରେ ବ୍ୟବହାର କରୁଛି।

