ସହରର ସବୁଠାରୁ ପୁରୁଣା ଏବଂ ବଡ଼ କମିଟି ନନ୍ଦପଡ଼ା ପକ୍ଷରୁ ଚଳିତ ବର୍ଷ ପାଇଁ ୯୦ ଲକ୍ଷ ଟଙ୍କାର ବଜେଟ ପ୍ରସ୍ତୁତ କରାଯାଇଛି। ଏଥିରେ ପ୍ରାୟ ଦୁଇ ହଜାର କଳାକାର ଅଂଶଗ୍ରହଣ କରି ଦୁଲଦୁଲି, ସମ୍ପ୍ରଦା ଏବଂ ଘଣ୍ଟ ବାଦନ କରିବେ। କେରଳ, ହରିୟାଣା, ଆନ୍ଧ୍ରପ୍ରଦେଶ, ପଞ୍ଜାବ ଏବଂ ପଶ୍ଚିମବଙ୍ଗରୁ ମଧ୍ୟ କଳାକାର ଦଳ ଆସୁଛନ୍ତି। ମହା ମଙ୍ଗଳ ଆଳତି, ଆତସବାଜି ଏବଂ ପରିବେଶ ସୁରକ୍ଷା ଉପରେ ଆଧାରିତ ପ୍ରଜ୍ଞାପନ ମେଢ ଏହି କମିଟିର ବିଶେଷ ଆକର୍ଷଣ ରହିବ।
ସେହିପରି ଝାଡ଼ୁଆପଡ଼ା କମିଟି ୭୫ରୁ ୮୦ ଲକ୍ଷ ଟଙ୍କାର ବଜେଟ ରଖିଛି। ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ଉତ୍ତରପ୍ରଦେଶ ସମେତ ବିଭିନ୍ନ ରାଜ୍ୟରୁ ପ୍ରାୟ ୨୭୦୦ କଳାକାର ଏଥିରେ ସାମିଲ ହେବେ। ଭୋପାଳର ପ୍ରସିଦ୍ଧ ବାବା ବଟେଶ୍ୱର କୀର୍ତ୍ତନ ସମିତି ଏଠାରେ ନିଜର କଳା ପ୍ରଦର୍ଶନ କରିବେ। ମହାକାଳ ଏବଂ ନୃସିଂହ ଅବତାର ସମେତ ପୁତନା ବଧ ଭଳି ପ୍ରଜ୍ଞାପନ ମେଢ ଲୋକଙ୍କୁ ଆକୃଷ୍ଟ କରିବ।
ଅନ୍ୟପକ୍ଷରେ ମୋଦିପଡ଼ା କମିଟିର ବଜେଟ ୫୦ ଲକ୍ଷ ଟଙ୍କା ରହିଥିବା ବେଳେ ଏଠାରେ ୨୮୦୦ କଳାକାର ଭାଗ ନେବେ। ଘଣ୍ଟ, ଦୁଲଦୁଲି, ଘୁମୁରା, ରଣପା ଏବଂ ଆଦିବାସୀ ନୃତ୍ୟ ପରିବେଷଣ ହେବ। ଗଛ ବଞ୍ଚାଅ ବାର୍ତ୍ତା ସହିତ ମହାପ୍ରଭୁ ଜଗନ୍ନାଥ ଏବଂ ମାଆ ସମଲେଶ୍ୱରୀଙ୍କର ସୁନ୍ଦର ପ୍ରଜ୍ଞାପନ ମେଢ ଶୋଭାଯାତ୍ରାରେ ବାହାରିବ।
ରାଜ୍ୟର ଏହି ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ବଜାୟ ରଖିବା ପାଇଁ ରାଜ୍ୟ ସରକାର ମଧ୍ୟ ସହାୟତାର ହାତ ବଢାଇଛନ୍ତି। ଶୀତଳ ଷଷ୍ଠୀ ଉତ୍ସବର ସୁପରିଚାଳନା ପାଇଁ ସରକାରଙ୍କ ପକ୍ଷରୁ ଏକ କୋଟି ଆଠ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ମଞ୍ଜୁର କରାଯାଇଛି। ଏହି ଅର୍ଥରାଶିକୁ ଉତ୍ସବ ଆୟୋଜନ କରୁଥିବା ମୋଟ ୨୧ଟି କମିଟି ମଧ୍ୟରେ ବଣ୍ଟନ କରାଯିବ।

