IMG 20260607 WA0082 750x430

ଭୁବନେଶ୍ବର: ୬୪ ସ୍ଥାନର ଇଂରାଜୀ ନାମରେ ହେବ ସଂଶୋଧନ। ଓଡ଼ିଶା କ୍ୟାବିନେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି । ରାଜ୍ୟର ୨୬ଟି ଜିଲ୍ଲାରେ ଥିବା ୬୪ଟି ସ୍ଥାନର ବିକୃତ ଇଂରାଜୀ ବନାନକୁ ସଂଶୋଧନ କରି ମୂଳ ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ପରିବର୍ତ୍ତନ କରିବାକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି । ସରକାରୀ ଦସ୍ତାବିଜରେ ଥିବା ଔପନିବେଶିକ ସମୟର ଭୁଲ୍ ନାମଗୁଡ଼ିକୁ ହଟାଇ ପ୍ରକୃତ ଓଡ଼ିଆ ନାମ ପ୍ରଚଳନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏହି ନିଷ୍ପତ୍ତି ପରେ ଏଣିକି ସରକାରୀ ସ୍ତରରେ “Aul” କୁ “ଆଳି” ଏବଂ “Balasore” କୁ “ବାଲେଶ୍ୱର” ଭାବେ ଲେଖାଯିବ । ଇଂରାଜୀ ରେକର୍ଡରେ ଥିବା ଏହି ବିକୃତ ନାମଗୁଡ଼ିକ ଓଡ଼ିଆ ଅସ୍ମିତା ସହ ମେଳ ଖାଉନଥିଲା  ।

ଜିଲ୍ଲାପାଳ, ଜନପ୍ରତିନିଧି ଏବଂ ଜନସାଧାରଣଙ୍କ ଠାରୁ ମିଳିଥିବା ପ୍ରସ୍ତାବ ଆଧାରରେ ଏକ ବିଶେଷ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ବିଶିଷ୍ଟ ଓଡ଼ିଆ ସାହିତ୍ୟିକା ଡକ୍ଟର ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ଏହି ପ୍ରସ୍ତାବଗୁଡ଼ିକୁ ଅନୁଧ୍ୟାନ କରିଥିଲେ । ଏହା ଉପରେ ମାସେ କାଳ ଜନସାଧାରଣଙ୍କ ମତାମତ ନିଆଯିବା ପରେ ନାମଗୁଡ଼ିକୁ ଚୂଡ଼ାନ୍ତ କରାଯାଇଛି । ରାଜ୍ୟ ସରକାର ଏନେଇ ଖୁବ୍ ଶୀଘ୍ର ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିବେ । ଏହା ସହ କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ସର୍ଭେ ଅଫ୍ ଇଣ୍ଡିଆ, ଭାରତୀୟ ରେଳବାଇ, ଡାକ ବିଭାଗ ଏବଂ ଜନଗଣନା କମିଶନଙ୍କ ଭଳି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ସେମାନଙ୍କ ରେକର୍ଡରେ ଏହି ସଂଶୋଧନ କରିବା ପାଇଁ ଅନୁରୋଧ କରାଯିବ ।

ସେହିପରି କ୍ୟାବିନେଟ୍ ବୈଠକରେ ‘ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ବିଧି, ୧୯୫୯’ରେ ସଂଶୋଧନ କରାଯାଇଛି । ଏଣିକି ସରକାରୀ କର୍ମଚାରୀମାନେ ସେମାନଙ୍କର ବାର୍ଷିକ ସମ୍ପତ୍ତି ତାଲିକା ନିର୍ଦ୍ଧାରିତ ସମୟ ମଧ୍ୟରେ ଦାଖଲ କରିବା ବାଧ୍ୟତାମୂଳକ । ବର୍ତ୍ତମାନର ନିୟମ ଅନୁସାରେ ପ୍ରତିବର୍ଷ ଜାନୁଆରୀ ୩୧ ସୁଦ୍ଧା HRMS ପୋର୍ଟାଲ୍ ଜରିଆରେ ସମ୍ପତ୍ତି ତାଲିକା ଦେବାର ନିୟମ ଥିଲେ ମଧ୍ୟ ଅନେକ କର୍ମଚାରୀ ଏଥିରେ ଅବହେଳା କରୁଥିଲେ ।

ନୂଆ ସଂଶୋଧନ ଅନୁଯାୟୀ, ସମୟସୀମା ମଧ୍ୟରେ ତାଲିକା ଦାଖଲ ନକଲେ କିମ୍ବା ବିଳମ୍ବ କଲେ OCS (CC&A) ରୁଲ୍ସ, ୧୯୬୨ର ଧାରା ୧୬ ଅନୁଯାୟୀ ବିଭାଗୀୟ ଦଣ୍ଡବିଧାନ କରାଯିବ । ଯଦି କେହି ଭୁଲ୍ କିମ୍ବା ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରନ୍ତି ତେବେ ଧାରା ୧୫ ଅନୁଯାୟୀ ସେମାନଙ୍କ ବିରୋଧରେ ଗୁରୁତର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।

Share