ଭଦ୍ରକ : ଭଦ୍ରକ ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଏବେ ଭଦ୍ରକ ରାଜନୈତିକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ୱାର୍ଡ ସଭ୍ୟଙ୍କୁ ହତ୍ୟା କରାଯାଇଛି । ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଭଦ୍ରକ ଭଣ୍ଡାରିପୋଖରୀ ଥାନା ସରସଦା ପଞ୍ଚାୟତ କଟରାଗଡିଆ ଗାଁରେ ଏହି ନିର୍ମମ ହତ୍ୟାକାଣ୍ଡ ଘଟିଛି । ମୃତ ୱାର୍ଡ ସଭ୍ୟ ହେଲେ ଜଗନ୍ନାଥ ସାହୁ ।
ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟ ଓ ଉତ୍ତେଜନା ସୃଷ୍ଟି କରିଛି । ଗାଁ ରାସ୍ତା ନିର୍ମାଣକୁ ନେଇ ଜଗନ୍ନାଥ ସାହୁ ଓ ରତ୍ନାକର ସାହୁଙ୍କ ମଧ୍ୟରେ ଶତ୍ରୁତା ଲାଗିରହିଥିଲା। ଗତକାଲି ଜଗନ୍ନାଥ ଓ ତାଙ୍କ ସହଯୋଗୀ ବଟକୃଷ୍ଣ ବାଇକରେ ଯାଉଥିବାବେଳେ ଅତର୍କିତ ଆକ୍ରମଣ କରିଥିଲେ ରତ୍ନାକର। ଗୁରୁତର ଅବସ୍ଥାରେ ଜଗନ୍ନାଥଙ୍କୁ ଭଣ୍ଡାରୀପୋଖରୀ ମେଡିକାଲ ନେଇଥିଲେ ସ୍ଥାନୀୟ ଲୋକ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ପହଞ୍ଚି ରତ୍ନାକରଙ୍କୁ କାବୁ କରିବା ସହ ପଚରାଉଚରା କରୁଛି।

