ଏହି ପ୍ରୋତ୍ସାହନ ରାଶି ସିଧାସଳଖ ଉଭୟଙ୍କର ଏକ ଜଏଣ୍ଟ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। ମାତ୍ର ଠକେଇ ରୋକିବା ପାଇଁ ଏହି ଟଙ୍କା ୩ ବର୍ଷ ପର୍ଯ୍ୟନ୍ତ ‘ଲକ୍-ଇନ୍’ ପିରିୟଡ୍ରେ ରହିବ। ବିବାହର ପ୍ରଥମ ଛଅ ମାସ ପରେ ୧୦%, ପ୍ରଥମ ବର୍ଷ ପରେ ୧୦% ଏବଂ ସଫଳ ବିବାହର ୩ ବର୍ଷ ପୂର୍ଣ୍ଣ ହେବା ପରେ ବାକି ୮୦% ଟଙ୍କା ଉଠାଯାଇପାରିବ।
ସରକାରୀ ଯୋଜନାର ଅପବ୍ୟବହାର କିମ୍ବା ମିଛ ଆଧାରରେ ଟଙ୍କା ହଡ଼ପ ଉଦ୍ୟମକୁ ରୋକିବା ପାଇଁ ଏକ ଯାଞ୍ଚ ବ୍ୟବସ୍ଥା କରାଯାଇଛି। ବିବାହ ପଞ୍ଜିକରଣ ହେବାର ଗୋଟିଏ ବର୍ଷ ମଧ୍ୟରେ ଦମ୍ପତିଙ୍କୁ ଅନଲାଇନ୍ ପୋର୍ଟାଲ୍ (www.ssepd.gov.in) ମାଧ୍ୟମରେ ଆବେଦନ କରିବାକୁ ହେବ। ଆବେଦନ ପରେ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଧାସଳଖ ହିତାଧିକାରୀଙ୍କ ଘରକୁ ଯାଇ ବିବାହ ଓ କାଗଜପତ୍ରର ସତ୍ୟତା ଯାଞ୍ଚ କରିବେ। ଯାଞ୍ଚ ସମୟରେ ଦମ୍ପତିଙ୍କୁ ଶାରୀରିକ ଭାବେ ଉପସ୍ଥିତ ରହିବାକୁ ପଡ଼ିବ।
ଯଦି କୌଣସି ବ୍ୟକ୍ତି ଜାଲିଆତି କରି କିମ୍ବା ଭୁଲ୍ ତଥ୍ୟ ଦେଇ ଏହି ଯୋଜନାର ଆର୍ଥିକ ଲାଭ ଉଠାନ୍ତି, ତେବେ ତାଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଭଳି କ୍ଷେତ୍ରରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଭିନ୍ନକ୍ଷମ ଅଧିକାର ଅଧିନିୟମ (RPwD Act, 2016)ର ଦଫା ୯୧ ଅନୁଯାୟୀ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ କିମ୍ବା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଇପାରେ। ଏଥିସହ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସମସ୍ତ ଅର୍ଥକୁ ୧୨% ସୁଧ ସହ ଜବତ କରାଯିବ।
ସେହିପରି ଯଦି ବିବାହର ୫ ବର୍ଷ ମଧ୍ୟରେ ଦମ୍ପତିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୁଏ, ତେବେ ସାଧାରଣ ପତି/ପତ୍ନୀଙ୍କୁ ମିଳିଥିବା ଅର୍ଥର ୫୦ ପ୍ରତିଶତ ଭାଗ ସରକାରୀକୁ ଫେରସ୍ତ କରିବାକୁ ପଡ଼ିବ ବୋଲି ଗାଇଡ୍ଲାଇନ୍ରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି।

