Puri v

ପୁରୀ : ଆଜି ବିଶ୍ୱପ୍ରସିଦ୍ଧ ପବିତ୍ର ଘୋଷଯାତ୍ରା । ଭକ୍ତି, ବିଶ୍ୱାସ ଓ ପରମ୍ପରାର ମହାପର୍ବ ରଥଯାତ୍ରା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର ପୁରୀ । ପ୍ରବଳ ବର୍ଷାରେ ଭିଜୁଛି ପୁରୀ ବଡ଼ଦାଣ୍ଡର ପଥ । ଆଜି ଦିନ ତମାମ ତୁହାକୁ ତୁହା ବର୍ଷା ଲାଗି ରହିଥିବାବେଳେ ଭିଜୁଛି ମହାପ୍ରଭୁଙ୍କ ତିନି ରଥ। ସତେ ଯେମିତି କଳା ସାଆନ୍ତେ ଆସିବା ପୂର୍ବରୁ ବଡ଼ଦାଣ୍ଡକୁ ଧୋଇ ଦେଉଛନ୍ତି ଇନ୍ଦ୍ର ଦେବ। ଗତକାଲି ଠାରୁ ପୁରୀରେ ଲଗାଣ ବର୍ଷା ଜାରି ରହିଛି । ବର୍ଷାକୁ ଖାତିର ନ କରି ବଡଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଭିଡ ।

ସୂଚନାଯୋଗ୍ୟ ଯେ, ଗତ ୪୫ ଘଣ୍ଟା ମଧ୍ୟରେ ପୁରୀରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଏତେ କମ୍ ସମୟ ମଧ୍ୟରେ ଏତେ ପରିମାଣର ବର୍ଷା ହେବା ଫଳରେ ସହରର ବିଭିନ୍ନ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ବଡ଼ଦାଣ୍ଡ ସମେତ ସହରର ବିଭିନ୍ନ ଗଳିକନ୍ଦିରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିବା ଦେଖିବାକୁ ମିଳିଛି । ଫଳରେ ରଥଯାତ୍ରା ଦେଖିବାକୁ ଆସିଥିବା ଶ୍ରଦ୍ଧାଳୁ ଏବଂ ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବୁଧବାର ରାତି ୮ଟା ୩୦ରୁ ଗୁରୁବାର ସକାଳ ୫ଟା ୩୦ ମଧ୍ୟରେ ୭୨.୮ ମିଲିମିଟର ବର୍ଷା ହୋଇଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ରଥଯାତ୍ରାକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ବଜ୍ରପାତ ଓ ଘଡ଼ଘଡ଼ି ସମୟରେ ସତର୍କ ରହିବା, ଗଛ ଓ ବିଦ୍ୟୁତ୍ ଖୁଣ୍ଟ ତଳେ ଆଶ୍ରୟ ନନେବା ଏବଂ ଦିନସାରା ପାଣିପାଗ ବିଭାଗର ସରକାରୀ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି।

Share