ଭୁବନେଶ୍ବର: ରାଜ୍ୟରେ ଏବେ ଲଗାଣ ବର୍ଷା ସହ ଉତ୍କଟ ବନ୍ୟା ପରିସ୍ଥିତି ଲାଗି ରହିଛି । ଏଥି ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଗ୍ରାମ୍ୟ ରାସ୍ତା, ପୋଲ, କଲଭର୍ଟ ଏବଂ କ୍ରସ୍-ଡ୍ରେନେଜ୍ (ସିଡି) କାର୍ଯ୍ୟର ତୁରନ୍ତ ମରାମତି ଓ ପୁନରୁଦ୍ଧାର କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ କଡ଼ା ନିର୍ଦ୍ଦେଶ ଜାରି କରିଛି । ବିଭାଗର କମିଶନର-ତଥା-ସଚିବ ଯାମିନୀ ସାରଙ୍ଗୀ ଏହି ସମ୍ପର୍କରେ ୨ ଜଣ ମୁଖ୍ୟ ଯନ୍ତ୍ରୀ (EIC-I ଓ EIC-II)ଙ୍କୁ ପତ୍ର ଲେଖି ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ କରିବାକୁ କହିଛନ୍ତି ।
ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର ବିଭିନ୍ନ ରୁରାଲ ୱର୍କସ୍ ଡିଭିଜନରୁ ପ୍ରବଳ ବର୍ଷା ଓ ବନ୍ୟାଜଳ ପ୍ରବାହ ଯୋଗୁଁ ଅନେକ ରାସ୍ତା, ପୋଲ, କଲଭର୍ଟ ଓ କ୍ରସ୍-ଡ୍ରେନେଜ୍ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟ ମିଳୁଛି । ଏହା ଫଳରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏପରି ସ୍ଥିତିରେ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ପ୍ରଚଳିତ ଆର୍ଥିକ ଓ ପ୍ରଶାସନିକ ନିୟମାବଳୀ ଅନୁସରଣ କରି ତୁରନ୍ତ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ହାତକୁ ନେବାକୁ କୁହାଯାଇଛି । ସମ୍ଭବ ଶୀଘ୍ର ଯାତାୟାତ ସ୍ୱାଭାବିକ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

