ନୂଆଦିଲ୍ଲୀ : ମଝି ସମୁଦ୍ରରେ ଜଳିଗଲା ଯାତ୍ରୀବାହୀ ଫେରୀ, ୫ ମୃତ, ୪୧ ନିଖୋଜ । ଇଣ୍ଡୋନେସିଆ ମାଦୁରା ଦ୍ବୀପ ନିକଟରେ ଘଟିଛି ଏ ବଡ଼ ଧରଣର ଅଘଟଣ । ଫେରୀରେ ନିଆଁ ଲାଗିଯିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ୪୧ ଜଣ ନିଖୋଜ ଥିବାରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ସୂଚନା ଅନୁଯାୟୀ, ଏହି ଫେରୀରେ ୨୭୧ ଜଣ ଯାତ୍ରୀଙ୍କ ସହ କ୍ରୁ ମେମ୍ବର ଥିଲେ । ଇଷ୍ଟ ଜାଭାର ସୁରବାୟାଠାରୁ ଫେରୀଟି ଯାତ୍ରା ଆରମ୍ଭ କରି ଦକ୍ଷିଣ ସୁଲାୱସିର ମକସରକୁ ଯାତ୍ରା କରୁଥିଲା ।
ଫେରୀରେ ନିଆଁ ଲାଗିଯିବା ପରେ ପ୍ରାୟ ୨୨୫ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଜାହାଜର କ୍ୟାପଟେନ ନିଆଁ ଲାଗିବା ସୂଚନା ଦେବା ମାତ୍ରେ ଏକ ବଡ଼ ଧରଣର ମିଳିତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଫେରୀରୁ କଳାଧୂଆଁ ବାହାରିବାରୁ ଅନେକ ଅଣନିଶ୍ବାସ ହୋଇପଡିଥିଲେ । ଫେରୀରେ ନିଆଁ ଲାଗିବା ପରେ ଅନେକ ଡଙ୍ଗାରୁ ଡେଇଁ ପଡିଥିଲେ । ନିକଟରେ ଥିବା ଅନ୍ୟ ଜାହାଜ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲେ ।

