ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୪ ମୃତ

Blast

ନୂଆଦିଲ୍ଲୀ: ପାକିସ୍ତାନରେ ପୁଣି ଆତଙ୍କର ରକ୍ତାକ୍ତ ଛାୟା । ଆତ୍ମଘାତୀ ଆକ୍ରମଣରେ ୧୪ ମୃତ । ଖାଇବର ପଖତୁନଖ୍ୱା ପ୍ରଦେଶର ସ୍ୱାଟ ଜିଲ୍ଲାର କାବାଲ ସହରରେ ଗତକାଲି ସନ୍ଧ୍ୟାରେ ଶାନ୍ତି ପାଇଁ ଆୟୋଜିତ ବିଶାଳ ଜନସମାବେଶ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଭୟଙ୍କର ଆକ୍ରମଣରେ ଅତି କମରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ‘ସ୍ୱାଟ ପିସ୍ ରାଲି’ କିମ୍ବା ‘ଆମନ ପାସୁନ୍’ ନାମରେ ଆୟୋଜିତ ସମାବେଶରେ ସ୍ଥାନୀୟ ବାସିନ୍ଦା ଓ ନାଗରିକ ସଂଗଠନମାନେ ବଢ଼ୁଥିବା ଆତଙ୍କବାଦୀ ହିଂସା ବିରୋଧରେ ପ୍ରତିବାଦ କରିବା ସହ ସ୍ଥାୟୀ ଶାନ୍ତିର ଦାବି ଉଠାଇଥିଲେ। କାବାଲ ଥାନା ବାହାରେ ପ୍ରଦର୍ଶନକାରୀ ଆତଙ୍କବାଦ ବିରୋଧୀ ସ୍ଲୋଗାନ ଦେଉଥିବା ସମୟରେ ବିସ୍ଫୋରଣ ଘଟିଥିଲା।

ପୁଲିସ ସୂଚନା ଅନୁସାରେ, ବିସ୍ଫୋରକ ଜ୍ୟାକେଟ୍ ପିନ୍ଧିଥିବା ଜଣେ ଆକ୍ରମଣକାରୀ ଥାନା ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ସୁରକ୍ଷାକର୍ମୀ ତାଙ୍କୁ ଅଟକାଇବା ପରେ ସେ ମୁଖ୍ୟ ଫାଟକ ନିକଟରେ ନିଜକୁ ବିସ୍ଫୋରଣ କରାଇଥିଲେ। ଏଥିରେ ଥାନାରେ ନିୟୋଜିତ ପୁଲିସ କର୍ମଚାରୀଙ୍କ ସହ ଶାନ୍ତି ସମାବେଶରେ ଯୋଗ ଦେଇଥିବା ସାଧାରଣ ଲୋକମାନେ ମଧ୍ୟ ପ୍ରାଣ ହରାଇଛନ୍ତି। ଘଟଣା ପରେ ସୁରକ୍ଷା ବାହିନୀ ଅଞ୍ଚଳକୁ ସିଲ୍ କରି ତଦନ୍ତ ଆରମ୍ଭ କରିଥିବାବେଳେ ଆହତଙ୍କୁ ସଇଦୁ ଶରିଫ ସମେତ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏପର୍ଯ୍ୟନ୍ତ କୌଣସି ସଙ୍ଗଠନ ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହିଁ। ନିକଟରେ ଖାଇବରପଖତୁନଖ୍ୱାରେ ତେହରିକ-ଇ-ତାଲିବାନ ପାକିସ୍ତାନ (TTP) ସହ ଜଡ଼ିତ ଆତଙ୍କବାଦୀ ହିଂସା ପୁଣି ବଢ଼ିଥିବାରୁ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ପାକ ରାଷ୍ଟ୍ରପତି ଆସିଫ ଅଲି ଜର୍ଦାରି, ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ଓ ଗୃହମନ୍ତ୍ରୀ ମୋହସିନ ନକଭି ଆକ୍ରମଣକୁ ନିନ୍ଦା କରିଛନ୍ତି ।

Share