ସୁରକ୍ଷା ବ୍ୟବସ୍ଥାରେ କ୍ୱିକ୍ ରିଆକ୍ସନ୍ ଟିମ୍ (QRT), SWAT କମାଣ୍ଡୋ, ସ୍ନାଇପର୍, ବମ୍ ନିରୋଧକ ଦଳ ଏବଂ ଡଗ୍ ସ୍କ୍ୱାଡ୍ ମୁତୟନ କରାଯିବ। ଏଥିସହ ଲାଲକିଲ୍ଲା ପରିସରରେ ପ୍ରବେଶ ପୂର୍ବରୁ କଡ଼ା ଆକ୍ସେସ୍ କଣ୍ଟ୍ରୋଲ୍ ଏବଂ ଆଣ୍ଟି-ସାବୋଟାଜ୍ ଚେକିଂ କରାଯିବ, ଯାହାଦ୍ୱାରା କୌଣସି ସୁରକ୍ଷା ତ୍ରୁଟି ନ ରହେ।
ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଯାନବାହନର କଡ଼ା ଯାଞ୍ଚ, ନିୟମିତ ପାଟ୍ରୋଲିଂ ଏବଂ ସମଗ୍ର ସୁରକ୍ଷା କ୍ଷେତ୍ରରେ କଡ଼ା ନଜରଦାରି କରାଯିବ। ସରକାରୀ ପ୍ରତିଷ୍ଠାନ, ସମ୍ବେଦନଶୀଳ ଅଞ୍ଚଳ, ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି।
ଗୁଇନ୍ଦା ସଂସ୍ଥାର ସୂଚନା ଆଧାରରେ ଦିଲ୍ଲୀ ପୋଲିସ ଏକ ସ୍ୱତନ୍ତ୍ର ସୁରକ୍ଷା ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି। ବିଶେଷକରି ଲୁଟିଏନ୍ସ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ। ସମସ୍ତ ପ୍ରମୁଖ ରାସ୍ତାରେ ବ୍ୟାରିକେଡିଂ କରାଯିବା ସହ ପ୍ରତ୍ୟେକ ଗାଡ଼ିର ଯାଞ୍ଚ କରାଯିବ।
ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ଲାଲକିଲ୍ଲା ପ୍ରାଚୀରରୁ ଜାତୀୟ ପତାକା ଉତ୍ତୋଳନ କରିବେ ଏବଂ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏହି ଭାଷଣରେ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ, ଭବିଷ୍ୟତର ରୋଡମ୍ୟାପ୍ ଏବଂ ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସେ ମତ ରଖିବେ। ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ସର୍ବୋଚ୍ଚ ସ୍ତରର ସୁରକ୍ଷା ବ୍ୟବସ୍ଥା କରାଯାଇଛି।
