ଭୁବନେଶ୍ୱରରେ ୧୩ତମ BRICS ଶିକ୍ଷାମନ୍ତ୍ରୀ ବୈଠକ, ଯୋଗ ଦେଲେ ୨୦୦ରୁ ଅଧିକ ପ୍ରତିନିଧି

Brics1

ଭୁବନେଶ୍ୱର : ଭୁବନେଶ୍ୱରରେ ଆୟୋଜିତ BRICS ଶିକ୍ଷାମନ୍ତ୍ରୀ ବୈଠକରେ ଭବିଷ୍ୟତମୁଖୀ ଶିକ୍ଷା, ଦକ୍ଷତା ଓ ଗବେଷଣା ସହଯୋଗ ଉପରେ ଗୁରୁତ୍ୱ। ୧୩ତମ BRICS ଶିକ୍ଷାମନ୍ତ୍ରୀ ବୈଠକ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ବରରେ ଏକ ହୋଟେଲରେ ଆୟୋଜନ ହୋଇଛି।

ବ୍ରାଜିଲ, ରୁଷ, ଚୀନ, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଇରାନ, ଇଥିଓପିଆ ଓ UAE ସମେତ BRICS ଦେଶଗୁଡ଼ିକର ଶିକ୍ଷାମନ୍ତ୍ରୀ, ପ୍ରତିନିଧିମଣ୍ଡଳର ମୁଖ୍ୟ ଓ ବରିଷ୍ଠ ଅଧିକାରୀଙ୍କୁ ମିଶାଇ ୨୦୦ରୁ ଅଧିକ ପ୍ରତିନିଧି ଏଥିରେ ଯୋଗଦେଇଛନ୍ତି। ଗତ ୫ତାରିଖରେ ତୃତୀୟ BRICS ବରିଷ୍ଠ ଅଧିକାରୀ ବୈଠକ ପରେ ଆଜି ମନ୍ତ୍ରୀସ୍ତରୀୟ ଅଧିବେଶନ ଆୟୋଜିତ ହୋଇଛି।

ପ୍ରାରମ୍ଭିକ ଶିଶୁ ଯତ୍ନ ଓ ଶିକ୍ଷା, ଦକ୍ଷତା ବିକାଶ, TVET ସହଯୋଗ, ମିଳିତ ଗବେଷଣା ଓ ନବସୃଜନ, ଷ୍ଟାର୍ଟଅପ୍, ଯୋଗ୍ୟତାର ପାରସ୍ପରିକ ସ୍ୱୀକୃତି ଏବଂ ଶିକ୍ଷା କ୍ଷେତ୍ରରେ ନେତୃତ୍ୱ ଦକ୍ଷତା ବୃଦ୍ଧି ଉପରେ ବିଶେଷ ଆଲୋଚନା ହୋଇଛି। ପାରମ୍ପରିକ ଓ ସ୍ୱଦେଶୀ ଜ୍ଞାନ ବ୍ୟବସ୍ଥା ସମ୍ପର୍କିତ BRICS ମାର୍ଗଦର୍ଶକ ନୀତି ମଧ୍ୟ ଆଲୋଚନାର ଅନ୍ୟତମ ପ୍ରମୁଖ ପ୍ରସଙ୍ଗ ରହିଛି। ବୈଠକରେ ଭାରତ ପକ୍ଷର ନେତୃତ୍ୱ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପ୍ରତିନିଧିଙ୍କୁ ସ୍ୱାଗତ କରିଥିଲେ।

ଭୁବନେଶ୍ୱରକୁ ପ୍ରାଚୀନ ଜ୍ଞାନ, ଶିକ୍ଷା ଓ ଜୀବନ୍ତ ସଭ୍ୟତାର ଭୂମି ଭାବେ ଉଲ୍ଲେଖ କରି ସେ ଭାରତୀୟ ପରମ୍ପରାର ‘ଅତିଥି ଦେବୋ ଭବ’ ବାର୍ତ୍ତା ଦେଇଥିଲେ । ଭାରତର BRICS ଅଧ୍ୟକ୍ଷତାର ବିଷୟବସ୍ତୁ “Building for Resilience, Innovation, Cooperation and Sustainability” ସହ ଶିକ୍ଷାର ସିଧାସଳଖ ସମ୍ପର୍କ ଥିବା କହିଛନ୍ତି ଯୋଶୀ।

ମହାମାରୀ, ଆର୍ଥିକ ଅନିଶ୍ଚିତତା, ଜଳବାୟୁ ସମସ୍ୟା ଓ ଦ୍ରୁତ ବୈଷୟିକ ପରିବର୍ତ୍ତନର ମୁକାବିଲା କରିପାରୁଥିବା ଶିକ୍ଷା ବ୍ୟବସ୍ଥା ଗଢ଼ିବା ଆବଶ୍ୟକ ବୋଲି ସେ କହିଛନ୍ତି। ଶିକ୍ଷା ସ୍ଥିର ହୋଇ ରହିପାରିବ ନାହିଁ । ନୂଆ ପିଢ଼ିର ଆକାଂକ୍ଷା ଓ ଭବିଷ୍ୟତର ନୂଆ ସୁଯୋଗ ଅନୁଯାୟୀ ଏହାକୁ ବଦଳାଇବାକୁ ପଡ଼ିବ ବୋଲି ସେ ମତ ରଖିଛନ୍ତି। ପ୍ରଯୁକ୍ତି ବଦଳିବ, ଅର୍ଥନୀତି ବଦଳିବ ଏବଂ ନୂଆ ନୂଆ ପେସା ସୃଷ୍ଟି ହେବ ।

କିନ୍ତୁ ଶିକ୍ଷା ବ୍ୟବସ୍ଥାର କେନ୍ଦ୍ରରେ ମଣିଷକୁ ରଖିବାକୁ ହେବ ବୋଲି ‘Humanity First’ ଆଭିମୁଖ୍ୟ ଉପରେ ଜୋର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ଶିକ୍ଷାର୍ଥୀ, ଶିକ୍ଷକ, ଗବେଷକ ଏବଂ ଉନ୍ନତ ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ଯୁବପିଢ଼ିକୁ ସମସ୍ତ ନୀତିର କେନ୍ଦ୍ରରେ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି। ବୈଠକ ଅବସରରେ ଇଣ୍ଡୋନେସିଆ, ଇରାନ ଓ ଦକ୍ଷିଣ ଆଫ୍ରିକାର ପ୍ରତିନିଧିଙ୍କ ସହ ଯୋଶୀଙ୍କ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହୋଇଛି।

ଉଚ୍ଚଶିକ୍ଷା, ଗବେଷଣା, ନବସୃଜନ, ଛାତ୍ର ଓ ଶିକ୍ଷାବିତ୍ ବିନିମୟ ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଯୋଗ ବଢ଼ାଇବା ନେଇ ଆଲୋଚନା କରାଯାଇଛି। BRICS ଦେଶଗୁଡ଼ିକ ମଧ୍ୟରେ ଅନୁଭବ ଓ ଜ୍ଞାନର ଆଦାନପ୍ରଦାନ ସହ ବ୍ୟବହାରିକ ସହଯୋଗକୁ ଆହୁରି ମଜବୁତ କରି ସ୍ଥିର ଓ ଭବିଷ୍ୟତମୁଖୀ ଶିକ୍ଷା ବ୍ୟବସ୍ଥା ଗଢ଼ିବା ବୈଠକର ମୁଖ୍ୟ ଲକ୍ଷ୍ୟ ।  ଏହାସହ ପ୍ରସ୍ତାବିତ BRICS ଦେଶସମୂହର ଶିକ୍ଷାମନ୍ତ୍ରୀଙ୍କ ଡିକ୍ଲାରେସନକୁ ନେଇ ମଧ୍ୟ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ଆଲୋଚନା ଓ ସହମତି ପ୍ରକ୍ରିୟା ଆଗକୁ ବଢ଼ିଛି ।

Share