ଚଳନ୍ତା ଟ୍ରେନରୁ ଯୁବକଙ୍କୁ ଠେଲିଦେଲେ ଅଜଣା ବ୍ୟକ୍ତି

Train story

ଭୁବନେଶ୍ୱର : ଚଳନ୍ତା ଟ୍ରେନରୁ ଯୁବକଙ୍କୁ ଠେଲିଦେଲେ ଅଜଣା ବ୍ୟକ୍ତି । ଏନେଇ ଅଭିଯୋଗ ପରେ ତଦନ୍ତ କରୁଛି ଭୁବନେଶ୍ବର ଜିଆରପି । ମଞ୍ଚେଶ୍ୱର ରେଳଷ୍ଟେସନ ନିକଟରେ ଯୁବକଙ୍କୁ ଚଳନ୍ତା ଟ୍ରେନରୁ ଠେଲିଦେଇଥିବା ଅଭିଯୋଗ ହୋଇଛି । ଯୁବକଙ୍କ ଡାହାଣ ହାତରେ ଆଘାତ ଲାଗିଛି । ଆହତ ଯୁବକ ୧୯ ବର୍ଷୀୟ ରାକେଶ ପ୍ରଧାନ । ଯୁବକ ଜଣଙ୍କ ରେଳ ଧାରଣା କଡ଼ରେ ପଡ଼ିଥିଲେ ।

ଗତ ୬ ତାରିଖ ରାତିରେ ଭୁବନେଶ୍ୱର ରେଳ ଷ୍ଟେସନରୁ ମେରାମୁଣ୍ଡଳୀ ଯାଉଥିବା ବେଳେ ଜଣେ ଅଜଣା ବ୍ୟକ୍ତି ରାକେଶଙ୍କୁ ଚଳନ୍ତା ଟ୍ରେନରୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି । ଗୁରୁତର ଆହତ ହୋଇ ଅନ୍ଧାର ଭିତରେ ରେଳ ଧାରଣା କଡ଼ରେ ପଡ଼ି ରହିଥିଲେ ରାକେଶ । ରାକେଶଙ୍କଠାରୁ ସୂଚନା ପାଇ ପିସିଆର ଲାଇଭ ଲୋକେସନ ମଗାଇ ଘଟଣାସ୍ଥଳରେ ପହଞ୍ଚିଥିଲା ।

ଲୋକେସନ୍ ମିଳିବା ପରେ ପ୍ରବଳ ବର୍ଷା, ଅନ୍ଧାରରେ ପ୍ରାୟ ୩ କିଲୋମିଟର ଖୋଜାଖୋଜି କରିଥିଲା PCR ଟିମ୍ । ଶେଷରେ ମୃତ୍ୟୁ ସହ ଲଢ଼ୁଥିବା ରାକେଶଙ୍କୁ ଠାବ କରିଥିଲା ପୋଲିସ । ରେଳ ଧାରଣାରୁ ପ୍ରାୟ ୫୦୦ ମିଟର ଷ୍ଟ୍ରେଚରରେ ବୋହି ରାସ୍ତାକୁ ଆଣିଥିଲା ଟିମ୍ ।  ପ୍ରଥମେ କ୍ୟାପିଟାଲ ହସ୍ପିଟାଲ, ପରେ SCB ମେଡିକାଲ ଏବଂ ବର୍ତ୍ତମାନ କଟକ ଅଶ୍ୱିନୀ ହସ୍ପିଟାଲରେ ରାକେଶଙ୍କ ଚିକିତ୍ସା ଚାଲିଛି ।  ତେବେ କାହିଁକି ରାକେଶଙ୍କୁ ଚଳନ୍ତା ଟ୍ରେନରୁ ଠେଲିଦିଆଗଲା ? ଏସବୁ ଦିଗକୁ ନେଇ ତଦନ୍ତ କରୁଛି ଭୁବନେଶ୍ୱର GRP ।

Share