ଟ୍ରମ୍ପଙ୍କ ହେଲିକପ୍ଟର ନିକଟରେ ଉଡ଼ିଲା ଯାତ୍ରୀବାହୀ ବିମାନ

Trump 2026 04 29 16 38 05

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ବ୍ୟବସ୍ଥାରେ ଏକ ବଡ଼ ଧରଣର ତ୍ରୁଟି ପରିଲକ୍ଷିତ ହୋଇଛି। ରାଷ୍ଟ୍ରପତିଙ୍କ ସରକାରୀ ହେଲିକପ୍ଟର ‘ମାରିନ୍ ୱାନ୍’ ଏକ ଯାତ୍ରୀବାହୀ ବିମାନର ଅତି ନିକଟତର ହୋଇଯାଇଥିବା ଜଣାପଡ଼ିଛି। ଏହି ଗୁରୁତର ସୁରକ୍ଷା ତ୍ରୁଟିକୁ ନେଇ ଏବେ ଫେଡେରାଲ୍ ଏଭିଏସନ୍ ପ୍ରଶାସନ (ଏଫଏଏ) ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଟ୍ରମ୍ପଙ୍କୁ ନେଇ ମାରିନ୍ ୱାନ୍ ହେଲିକପ୍ଟରଟି ହ୍ୱାଇଟ୍ ହାଉସରୁ ଉଡ଼ାଣ ଭରିଥିବା ବେଳେ ୱାଶିଂଟନ୍ ଡିସି ଆକାଶରେ ଏହି ଘଟଣା ଘଟିଥିଲା।
ଘଟଣା ସମୟରେ ଉତ୍ତର ଭର୍ଜିନିଆର ରୋନାଲ୍ଡ ରିଗାନ୍ ଜାତୀୟ ବିମାନବନ୍ଦରରେ ଥିବା ଏୟାର ଟ୍ରାଫିକ୍ କଣ୍ଟ୍ରୋଲର୍ (ଏଟିସି)ର ଭୁଲ୍‌ ଯୋଗୁଁ ଫ୍ଲୋରିଡା ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବିମାନ ଏବଂ ରାଷ୍ଟ୍ରପତିଙ୍କ ହେଲିକପ୍ଟର ମଧ୍ୟରେ ଥିବା ଦୂରତା ନିର୍ଦ୍ଧାରିତ ସୀମାଠାରୁ ଯଥେଷ୍ଟ କମିଯାଇଥିଲା। ଯଦିଓ ଏହି ଦୁଇ ବିମାନ ମଧ୍ୟରେ ଧକ୍କା ହେବାର ସମ୍ଭାବନା ନଥିଲା, ତଥାପି ଏହା ଏକ ବଡ଼ ସୁରକ୍ଷା ତ୍ରୁଟି ବୋଲି ବିବେଚନା କରାଯାଉଛି। ଏଫଏଏ ଏକ ବିବୃତିରେ କହିଛି ଯେ, ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି; କିନ୍ତୁ ପ୍ରାଥମିକ ଦୃଷ୍ଟିରୁ ଏହା ଏକ ବିପଦପୂର୍ଣ୍ଣ ପରିସ୍ଥିତି ନଥିଲା।

ଏହି ସମ୍ପର୍କରେ ହ୍ୱାଇଟ୍ ହାଉସ୍ ମୁଖପାତ୍ର କୁଶ ଦେଶାଇ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲକୁ ସୂଚନା ଦେଇ କହିଛନ୍ତି ଯେ, ମାରିନ୍ ୱାନ୍ ହେଲିକପ୍ଟରଗୁଡ଼ିକୁ ବିଶ୍ୱର ସର୍ବଶ୍ରେଷ୍ଠ ପାଇଲଟମାନେ ଚଳାଇଥାନ୍ତି ଏବଂ ରାଷ୍ଟ୍ରପତିଙ୍କ ଉପରେ କୌଣସି ପ୍ରକାରର ବିପଦ ନଥିଲା। ତଥାପି ଆମେରିକାର ବିମାନ ଚଳାଚଳ ସୁରକ୍ଷା ନିୟମ ଅନୁଯାୟୀ, ବିମାନବନ୍ଦର ଚାରିପାଖରେ ବିମାନଗୁଡ଼ିକ ମଧ୍ୟରେ ଅତି କମରେ ଦେଢ ମାଇଲ୍ ଭୂସମାନ୍ତର ଏବଂ ୫୦୦ ଫୁଟ୍ ଭୂଲମ୍ବ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ। ମାରିନ୍ ୱାନ୍ ଏବଂ ଅନ୍ୟ ଯାତ୍ରୀବାହୀ ବିମାନ ଏହି ଆବଶ୍ୟକୀୟ ଦୂରତା ବଜାୟ ରଖିବାରେ ବିଫଳ ହୋଇଥିଲେ।

ଏହି ଘଟଣା ପରେ ଆମେରିକାର ଆକାଶମାର୍ଗରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରଙ୍କ ଏଭଳି ତ୍ରୁଟିକୁ ଗମ୍ଭୀରତାର ସହ ନିଆଯାଇଛି। ତେବେ ଉଭୟ ମାରିନ୍ ୱାନ୍ ଏବଂ ଯାତ୍ରୀବାହୀ ଜେଟ୍ କୌଣସି ବାଧାବିଘ୍ନ ବିନା ନିଜ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିଲେ। ଏଫ୍‌ଏଏ ଏହି ଘଟଣା ପାଇଁ ଦାୟୀ ପରିସ୍ଥିତିର ସମୀକ୍ଷା କରୁଛି।

Share