ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅନ୍ତର୍ଗତ ବେଲଦ୍ୱାର ଗାଁରେ ଏକ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି । ଯୌତୁକ ଜନିତ କଳହକୁ କେନ୍ଦ୍ର କରି ଜଣେ ନୃଶଂସ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ହାତ ବାନ୍ଧି ପୋଖରୀକୁ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗରେ ପୋଲିସ ମୃତକଙ୍କ ସ୍ୱାମୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ଏହି ମର୍ମନ୍ତୁଦ ଘଟଣାରେ ପ୍ରାଣ ହରାଇଥିବା ମହିଳାଜଣକ ହେଲେ ତପସ୍ୱିନୀ ସାହୁ ।
ଶରଣକୂଳ ଥାନା ହରିହରପୁର ଗାଁର ତପସ୍ବିନୀ ଗତ ୨୦୨୦ମସିହାରେ ସଦରଥାନା ବକ୍ସିଙ୍କୁ ବିବାହ କରିଥିଲେ । ସେମାନଙ୍କର ଏକ ୫ବର୍ଷର ଝିଅ ରହିଛି । ଯୌତୁକ ପାଇଁ ପୁଅ ଘର ଲୋକ ବିଭିନ୍ନ ସମୟରେ ତପସ୍ବିନୀଙ୍କୁ ନିର୍ଯ୍ଯାତନା ଦେଇ ଆସୁଥିଲେ । ଏହାକୁ ନେଇ ୨୪ମସିହାରେ ଉଭୟପକ୍ଷକୁ ନେଇ ଥାନାରେ ବୁଝାମଣା ହୋଇଥିଲା । ବିବାହ ସମୟରେ ବକ୍ସି ଭୁବନେଶ୍ବରରେ ଏକ ଘରୋଇ କମ୍ପାନୀରେ ଚାକିରି କରିଥିବାବେଳେ ପରେ ଚାକିରି ଛାଡି ବେଲଦ୍ବାରରେ ଏକ ଫାର୍ମହାଉସ କରି ସ୍ତ୍ରୀପିଲାଙ୍କୁ ନେଇ ରହୁଥିଲେ । ସେଠାରେ ମଧ୍ଯ ଉଭୟଙ୍କ ମଧ୍ଯରେ ବିଭିନ୍ନ ସମୟରେ ଗଣ୍ଡଗୋଳ ହେଉଥିବା ତପସ୍ବିନୀଙ୍କ ପରିବାର ଲୋକ କହିଛନ୍ତି ।
ଗତକାଲି ରାତିରେ ଉଭୟଙ୍କ ମଧ୍ଯରେ ଗଣ୍ଡଗୋଳ ପରେ ବକ୍ସି ସ୍ତ୍ରୀ ତପସ୍ବିନୀଙ୍କୁ ମାରି ହାତ ବାନ୍ଧିଦେଇ ଫାର୍ମହାଉସ୍ ଭିତରେ ଥିବା ପୋଖରୀକୁ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତପସ୍ବିନୀ ପୋଖରୀକୁ ଡେଇଁ ଜୀବନ ହାରିଥିବା ବକ୍ସି ବିଳମ୍ବିତ ରାତିରେ ତପସ୍ବିନୀଙ୍କ ମାଙ୍କୁ ଫୋନ କରି ଜଣାଇଥିଲେ । ଖବର ପାଇ ଓଡଗାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ଯାଇ ପୋଖରୀରୁ ମୃତଦେହ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ । ଓଡଗାଁ ପୋଲିସ ବକ୍ସିକୁ ଅଟକ ରଖି ଅଧିକ ତଦନ୍ତ କରୁଛି ।
