ନାଇଜିରିୟା: ନାଇଜିରିୟାର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ନାଇଜେରିୟାର ବାୟୁ ସେନାର ବିମାନ ଦୁର୍ଘଟଣାରେ ୩୨ ଜଣଙ୍କର ମୃତ୍ୟୁ ହୋଇଛି । ବିମାନଟି ନିୟମିତ ମିଶନରେ ଥିବା ସମୟରେ ଏହି ଘଟଣା ଘଟିଛି ।
ସୂଚନାନୁଯାୟୀ, ନାଇଜେରିଆର ବେନିନ୍ ସିଟିରୁ ଲାଗୋସ ଅଭିମୁଖେ ଉଡ଼ାଣ ଭରିଥିଲା ନାଇଜେରୀୟ ବାୟୁସେନାର ଏକ ATR-42 ବିମାନ । ହଠାତ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହ ବିମାନର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଏହାପରେ ବିମାନର ସନ୍ଧାନ ଆରମ୍ଭ କରିଥିଲେ ଉଦ୍ଧାରକାରୀ ଦଳ । ଶେଷରେ ଇଗବୋକୋଡା ଉପକୂଳବର୍ତ୍ତୀ ସହର ନିକଟରେ ବିମାନର ଭଗ୍ନାବଶେଷ ଠାବ କରାଯାଇଥିଲା । ନାଇଜେରିଆର ବାୟୁସେନା ବିମାନଟି ଏକ ନୌସେନା ଘାଟି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ୩୨ ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ୭ ଜଣ କ୍ରୁ ସଦସ୍ୟ ଥିବାବେଳେ ୨୫ ଜଣ ଯାତ୍ରୀ ଥିବା ଜଣାପଡିଛି । ବିମାନର କିଛି ଅଂଶ ପାଣି ଭିତରେ ବୁଡ଼ି ରହିଥିବା ମଧ୍ୟ ସୂଚନା ମିଳିଛି ।
ଅନ୍ୟପଟେ ଏହି ଦୁର୍ଘଟଣାରେ ରାଷ୍ଟ୍ରପତି ଟିନୁବୁ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଥିସହ ଦୁର୍ଘଟଣାର ପ୍ରକୃତ କାରଣ ତୁରନ୍ତ ଖୋଜି ବାହାର କରିବାକୁ ନାଇଜେରୀୟ ବାୟୁସେନାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଘଟଣାସ୍ଥଳରେ ବାୟୁସେନା ଏବଂ ଉଦ୍ଧାରକାରୀ ଦଳ ପକ୍ଷରୁ ତଦନ୍ତ ଓ ଖୋଜାଖୋଜି ଜାରି ରହିଛି ।
