ଭାବନଗରରେ ଟ୍ରେଲରକୁ ଧକ୍କା ଦେଲା ବୋଲେରୋ, ୭ ମୃତ

Gujarat

ଗୁଜରାଟ : ଗୁଜରାଟର ଭାବନଗର ଜିଲ୍ଲାରୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରେଲରକୁ ଏକ ବୋଲେରୋ ଧକ୍କା ଦେବାରୁ ୭ ଜଣଙ୍କ ମୃତ୍ୟୁ ହୋଇଛି । ଧକ୍କା ଏତେ ଭୟଙ୍କର ଥିଲା ଯେ, ବୋଲେରୋଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଥିଲା । ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡ଼ି ଭିତରେ ଫସିଥିବା ଲୋକଙ୍କୁ ବାହାର କରାଯାଇଥିଲା ।

ପୋଲିସ ଅନୁସାରେ, ଆଜି ସକାଳ ପ୍ରାୟ ୧୦ଟା ସମୟରେ ଭାବନଗର-ସୋମନାଥ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ତଲାଜା ତାଲୁକା ଅନ୍ତର୍ଗତ ତ୍ରାପଜ ଗାଁ ନିକଟରେ ହାଇୱେର ସର୍ଭିସ୍ ରୋଡରେ ଏକ ଟ୍ରେଲର ଠିଆ ହୋଇଥିଲା । ଏହି ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ବୋଲେରୋଟି ଟ୍ରେଲରର ପଛ ଭାଗକୁ ଧକ୍କା ଦେଇଥିଲା । ଗାଡ଼ିରେ ଥିବା ଲୋକମାନେ ଭାବନଗରରୁ ଆଲାଙ୍ଗ ଯାଉଥିଲେ । ସେମାନେ ଆଲାଙ୍ଗର ଏକ ଶିପୟାର୍ଡରେ କାମ କରୁଥିବା ଜଣାପଡିଛି ।

ଦୁର୍ଘଟଣାରେ ୬ ଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଆଉ ଜଣକ ଜୀବନ ହସପିଟାଲରେ ଚାଲିଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଧକ୍କା ଏତେ ଭୟଙ୍କର ଥିଲା ଯେ ଟ୍ରେଲରଟି ଆଗକୁ କିଛି ଦୂର ଘୁଞ୍ଚି ଯାଇଥିଲା । ଦୁର୍ଘଟଣା ପରେ ବୋଲେରୋଟି ଚୁରମାର ହୋଇଯାଇଥିଲା ।

ସୂଚନା ପାଇବା ପରେ ପୋଲିସ ଓ ଆମ୍ବୁଲାନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ଭାବନଗର ସରକାରୀ ହସ୍ପିଟାଲକୁ ପଠାଯାଇଛି । ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

Share