ଭୁବନେଶ୍ୱର : ଲୁଟ୍ କରୁଥିଲେ, ଗଳି ପଡ଼ିଲେ । ମହିଳାଙ୍କ ବେକରୁ ଚେନ୍ ଲୁଟ୍ ଉଦ୍ୟମ ପଣ୍ଡ । ବାଇକରୁ ଖସି ପଡ଼ିଲା ଲୁଟେରା । ଭୁବନେଶ୍ବର ଏମ୍ସ ହସ୍ପିଟାଲ ସମ୍ମୁଖରେ ଘଟଣା ଘଟିଛି । ରୋଗୀଙ୍କୁ ଏମ୍ସ ହସ୍ପିଟାଲ ନେଇ ଆସିଥିବା ମହିଳାଙ୍କୁ ଟାର୍ଗେଟ କରିଥିଲେ ଲୁଟେରା । ମହିଳାଙ୍କ ବେକରୁ ଚେନ୍ ଝାମ୍ପି ଫେରାର ହେବାକୁ ଉଦ୍ୟମ କରୁଥିଲେ । ହେଲେ ମହିଳା ଜଣଙ୍କ ଲୁଟେରାଙ୍କୁ ଜୋରରେ ଟାଣି ଦେବାରୁ ଚଳନ୍ତା ବାଇକରୁ ଖସିପଡ଼ିଥିଲା ଜଣେ ଲୁଟେରା । ପରେ ମାଡ଼ି ବସିଥିଲେ ସ୍ଥାନୀୟ ଲୋକ । ଲୁଟେରାକୁ କାବୁ ପରେ ଖଣ୍ଡଗିରି ପୋଲିସର ଜିମା ଦେଇଛନ୍ତି ସ୍ଥାନୀୟ ଲୋକ । ଅଭିଯୁକ୍ତ ନିକଟରୁ ଏକ ବନ୍ଧୁକ ଜବତ ହୋଇଛି। ଅଭିଯୁକ୍ତ ଜଣକ ବାହାର ରାଜ୍ୟର ବୋଲି ସୂଚନା ମିଳିଛି । ଘଟଣାସ୍ଥଳରୁ ଅନ୍ୟ ଜଣେ ଲୁଟେରା ଫେରାର ହୋଇଯାଇଛି ।
ସେହିପରି ଗତକାଲି ବ୍ରହ୍ମପୁରରେ ଚୋରି ଜେସିବିକୁ ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ । ସିସିଟିଭିରେ କଏଦ ହୋଇଛି ପୂରା ଘଟଣାକ୍ରମ । ଘଟଣା ଗଞ୍ଜାମ ଜିଲ୍ଲାର । ଖଲ୍ଲିକୋଟ ଥାନା ଅଞ୍ଚଳରୁ ଚୋରି ହୋଇଥିଲା ଜେସିବି। ଖଲ୍ଲିକୋଟରୁ ଜେସିବିକୁ ନେଇ ପୁରୁଷୋତ୍ତମପୁର- କବିସୂର୍ଯ୍ୟନଗର ରାସ୍ତାରେ ଯାଉଥିଲା ଚୋର । ଖଳ୍ଲିକୋଟ ପୋଲିସ ଜାଣିବା ପରେ ପୁରୁଷୋତ୍ତମପୁର ଓ କବିସୂର୍ଯ୍ୟନଗର ଥାନାକୁ ଜେସିବି ଚୋରକୁ ଧରିବା ପାଇଁ ସହାୟତା ମାଗିଥିଲେ । ଦୁଇ ଥାନାର ପୋଲିସ ଚୋରି ଜେସିବି କାବୁ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ । ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାକୁ ବ୍ୟାରିକେଡ଼ ରଖି ବନ୍ଦ କରିଥିଲେ । କିନ୍ତୁ ଜେସିବି ଚୋର ବ୍ୟାରିକେଡକୁ ଠେଲି ଖସିଯାଇଥିଲା । ଏହାପରେ ଆଉ ଏକ ଛକରେ ମଧ୍ୟ ପୋଲିସକୁ ଚକମା ଦେଇ ଖସି ପଳାଇଥିଲା ଜେସିବି । ପୁଣି ଗୋଡ଼ାଇଥିଲା ପୋଲିସ । ଅନ୍ୟ ଏକ ଛକରେ ଟ୍ରକକୁ ରାସ୍ତାରେ ରଖି ଜେସିବିକୁ ଧରିବା ପାଇଁ ଉଦ୍ୟମ ହୋଇଥିଲା ।
