ସମ୍ବଲପୁର : ପ୍ରେମିକାକୁ ହତ୍ୟା ଅଭିଯୋଗ, ପ୍ରେମିକ କୋର୍ଟଚାଲାଣ । ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ବୁନ୍ଦୁକାମାଲର ଅଭିଯୁକ୍ତ ପ୍ରେମିକ ଅନୁଜ ଲୁଗୁନ ଗିରଫ । ଗଡ଼ପୋଷ ଫାଣ୍ଡି ଦେଉରୀପଡ଼ାର ଲିଲିମା ଭେଙ୍ଗରାଙ୍କ ଅଭିଯୋଗ କ୍ରମେ ପୋଲିସ ଏହି ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି ।
ଅଭିଯୋଗ ଅନୁଯାୟୀ, ଗତ ୧୫ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ଲିଲିମାଙ୍କ ଝିଅ ସୁଜାତା ଓ ତାଙ୍କ ପ୍ରେମିକ ଅନୁଜ ଚାଲିଚାଲି ଅନୁଜଙ୍କ ଘରକୁ ଯାଇଥିଲେ। ଏହାର କିଛି ସମୟ ପରେ ସୁଜାତା ଜୀବନ ହାରିଥିବା ନେଇ ତାଙ୍କ ମା’ଙ୍କୁ ଫୋନ୍ ଯୋଗେ ଜଣାଇଥିଲେ ପ୍ରେମିକ ଅନୁଜ। ଖବର ପାଇ ଲିଲିମା ଘଟଣାସ୍ଥଳରେ ପହଞ୍ଚିବା ସହ ଝିଅ ମୁହଁରେ ଏକାଧିକ ଆଘାତ ଚିହ୍ନ ଓ ବେକରେ ଦାଗ ଥିବା ଦେଖିବାକୁ ପାଇଥିଲେ। ଏଣୁ ଝିଅକୁ ହତ୍ୟା କରାଯାଇଥିବା ନିଶ୍ଚିତ ହୋଇଥିଲେ ଲିଲିମା। ପରେ ଏ ସମ୍ପର୍କରେ ଲିଲିମା ଥାନାରେ ଅନୁଜ ନାଁରେ ହତ୍ୟା ଅଭିଯୋଗ କରିଥିଲେ। ଗୋବିନ୍ଦପୁର ପୋଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ସୁଜାତାଙ୍କ ଶବ ସମେତ ଘଟଣାସ୍ଥଳରୁ ବୈଜ୍ଞାନିକ ପ୍ରମାଣ ସଂଗ୍ରହ କରିଥିଲା। ଲିଲିମାଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭଯୁକ୍ତ ପ୍ରେମିକ ତଥା ଅନୁଜଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
