ଭୁବନେଶ୍ୱର: ପ୍ରତିବର୍ଷ ଅଗଷ୍ଟ ମାସର ଚତୁର୍ଥ ଶନିବାର ‘ଗରିମା ଦିବସ’ ଭାବେ ପାଳିତ ହେବ। ସମୃଦ୍ଧ ଓଡ଼ିଶା ପାଇଁ ସ୍ୱଚ୍ଛ ସହର, ସୁରକ୍ଷିତ ପରିବେଶ ଏବଂ ଯେଉଁ ଲୋକମାନେ ଏହି ସ୍ୱଚ୍ଛତାକୁ ନିଶ୍ଚିତ କରୁଛନ୍ତି। ସେମାନଙ୍କ ସୁରକ୍ଷିତ ଜୀବନ ଏକାନ୍ତ ଅପରିହାର୍ଯ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗରିମା ଦିବସ ୨୦୨୬ ଅବସରରେ କହିଛନ୍ତି।
ଲୋକସେବା ଭବନ କନଭେନସନ୍ ସେଣ୍ଟର ଠାରେ ଗରିମା ଦିବସ ଅବସରରେ ଏକ ଜାତୀୟ କର୍ମଶାଳା ଆୟୋଜିତ ହୋଇଛି । ଏହି କର୍ମଶାଳାର ବିଷୟବସ୍ତୁ ରହିଛି, Mission Zero-Ending Fatality in Sanitation Work ଅର୍ଥାତ୍, ମିଶନ୍ ଜିରୋ ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ । ଏହି କର୍ମଶାଳାରେ ୮ଟି ରାଜ୍ୟର ସଫେଇ କ୍ଷେତ୍ରରେ କାର୍ଯ୍ୟରତ ଥିବା ବିଶେଷଜ୍ଞ, ଅଧିକାରୀଙ୍କ ସମେତ ସଫେଇ କର୍ମଚାରୀମାନେ ମଧ୍ୟ ଯୋଗ ଦେଇଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ଅଗଷ୍ଟ ମାସର ଚତୁର୍ଥ ଶନିବାରକୁ ଗରିମା ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରିଛନ୍ତି । ଏହି ଦିବସଟି ସଫେଇ କର୍ମୀଙ୍କ ଜୀବନକୁ ସୁରକ୍ଷିତ କରିବା ସହ ସେମାନଙ୍କ ସାମାଜିକ ସୁରକ୍ଷା ଓ ସମାଜରେ ସେମାନଙ୍କ ମର୍ଯ୍ୟାଦା ବୃଦ୍ଧି ପାଇଁ ସମର୍ପିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୧୪ ଅଗଷ୍ଟ ୧୫ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ସ୍ୱଚ୍ଛତା ଭାରତର ଜାତୀୟ ବିକାଶର ପରିସୀମାଭୁକ୍ତ ହୋଇଥିଲା। ପ୍ରଧାନମନ୍ତ୍ରୀ ନିଜେ ହାତରେ ଝାଡୁ ଧରି ସଫେଇ କର୍ମୀଙ୍କ ସାମାଜିକ ଉତ୍ଥାନର ପ୍ରତୀକ ସାଜିଲେ ଏବଂ ଦେଶବାସୀଙ୍କୁ ସନ୍ଦେଶ ଦେଲେ ‘ସ୍ୱଚ୍ଛତା କୌଣସି ଛୋଟ କାମ ନୁହେଁ, ସ୍ୱଚ୍ଛତା ହେଉଛି ରାଷ୍ଟ୍ର ନିର୍ମାଣର କାମ’। ଉପସ୍ଥିତ ବିଶେଷଜ୍ଞ ଓ ମେସିନ ନିର୍ମାତାଙ୍କୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଡ୍ରୋନ୍ ଜରିଆରେ ଆମେ ଆମର ସୀମାର ସୁରକ୍ଷା କରୁଛୁ । ରୋବୋଟିକ୍ସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ନୂଆ ଟେକ୍ନୋଲୋଜି ଉଦ୍ଭାବନ କ୍ଷେତ୍ରରେ ଭାରତ ଆଗକୁ ବଢ଼ୁଛି । ତେବେ ଆମେ ଏହିଭଳି ଟେକ୍ନୋଲୋଜିକୁ ଆମ ସଫେଇ କର୍ମଚାରୀଙ୍କ ସୁରକ୍ଷା ପାଇଁ କାହିଁକି ବ୍ୟବହାର କରିପାରିବା ନାହିଁ । ଭାରତ ସରକାରଙ୍କ ନମସ୍ତେ ଯୋଜନା ଜରିଆରେ ସଫେଇ କ୍ଷେତ୍ରରେ ମେସିନ ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି । ଆଜି ସମୟ ଆସିଛି ସଫେଇ କର୍ମୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ବିପଦ୍ଜନକ ସଫେଇ କାର୍ଯ୍ୟରେ ମେସିନ ବ୍ୟବହାର କରିବା ପାଇଁ । ସେଥିପାଇଁ ସେମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ସୁଦକ୍ଷ କରିବାକୁ ପଡ଼ିବ ।
