ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ନେଇ ବଢ଼ିଲା ଚିନ୍ତା। ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହୋଇ ‘ମୁରାସୁ’ ନାମକ ଏକ ବାତ୍ୟାରେ ପରିଣତ ହୋଇଛି।। ଆସନ୍ତାକାଲି ସୁଦ୍ଧା ଏହା ସିଭିଅର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ତେବେ ଏହାର ମୁକାବିଲା ନେଇ ଗତକାଲି ରାଜସ୍ୱ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ବୈଠକ କରି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ୍ । ଏସଆରସି ସ୍ପଷ୍ଟ କରିଛନ୍ତି ଯେ, ବାତ୍ୟା ‘ମୁରାସୁ’କୁ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଆଜିଠୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ସରିବ । ତେବେ ଗଜପତିରେ ୧୫୦ ଲାଣ୍ଡସ୍ଲାଇଡ ସ୍ପଟ ଚିହ୍ନଟ କରାଯାଇଛି।
ସୂଚନାଥାଉକି, ଆଜି ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ, ଖୋରଧା, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଘଣ୍ଟାପ୍ରତି ୩୦-୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଆସନ୍ତାକାଲି ଠାରୁ ବର୍ଷାର ପରିମାଣ ବଢ଼ିବ । ଏସଆରସି ସ୍ପଷ୍ଟ କରିଛନ୍ତି ଯେ, ବିଶେଷ କରି ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ସ୍ଥାନ ଗୁଡ଼ିକୁ ଚିହ୍ନଟ କରାଯାଇଛି । ପ୍ରାୟ ୧୫୦ରୁ ଅଧିକ ଲ୍ୟାଣ୍ଡସ୍ଲାଇଡ୍ ସ୍ପଟ୍ ଚିହ୍ନଟ କରାଯାଇଛି ।ଆଜି ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତରଣ କାମ ଆରମ୍ଭ ହୋଇଯିବ। ଏହାଛଡ଼ା ବାତ୍ୟାକୁ ଦୃଷ୍ଟିରେ ରଖି ରିଲିଫ୍ ସାମଗ୍ରୀ ଅଧିକ ମାତ୍ରାରେ ମହଜୁଦ କରି ରଖିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଆଇଛି । ବାତ୍ୟା ମୁରାସୁ ଆସୁଥିବାରୁ କୌଣସି ସ୍ଥାନରେ ହୋର୍ଡିଂ ନଲଗାଇବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏସଆରସି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
