ମହାନଦୀ ବ୍ୟାରେଜ ଡିଭିଜନରେ ଝୁଲିଲା ନୋଟିସ : ତୁରନ୍ତ ଅର୍ଥ ନସୁଝିଲେ ସମସ୍ତ ସମ୍ପତି ହେବ ନିଲାମ

Dd2fa2ae ba4c 4865 9d2b b016cfe0ed06

କଟକ  (ବିକ୍ରମ କିଶୋର ସେନାପତିଙ୍କ ଠାରୁ) : ବକେୟା ଟଙ୍କା ନଦେବାରୁ ଗଣ୍ଡରପୁରସ୍ଥିତ ମହାନଦୀ ବ୍ୟାରେଜ୍ ଡିଭିଜନ (ଅଧ୍ୟକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ)ରେ ନୋଟିସ ଜାରି କରାଯାଇଛି । ତୁରନ୍ତ ସମସ୍ତ ଦେୟ ଓ ଖର୍ଚ୍ଚର ଅର୍ଥ କୋର୍ଟରେ ପୈଠ ନକଲେ ଜବତ କରାଯାଇଥିବା ସମସ୍ତ ସମ୍ପତି ନିଲାମ କରାଯିବ । ଏନେଇ ଆଜି ସିଭିଲ୍ ଜଜ୍ (ବାଣିଜ୍ୟିକ ଅଦାଲତ)ଙ୍କ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ନୋଟିସ ଜାରି କରାଯାଇଛି ।

6306ce78 cbc0 45b9 a084 58e1cf18b1e5
ମିଳିଥିବା ସୂଚନା ଅନୁଯାୟୀ, ମେସର୍ସ ବି. ଇଞ୍ଜିନିୟର୍ସ ଆଣ୍ଡ୍ ବିଲୁର୍ସ ଲିମିଟେଡ୍ ବନାମ ଓଡ଼ିଶା ସରକାର ଓ ଅନ୍ୟ ଜଣଙ୍କ ସମ୍ପର୍କିତ ଏକଜିକ୍ୟୁସନ୍ କେସ୍ ନମ୍ବର ୧୧୬/୨୦୨୦ରେ ଏହି ଆଦେଶ ଦିଆଯାଇଛି । ୨୩ ସେପ୍ଟେମ୍ବର ୨୦୧୯ରେ ପାରିତ ଡିକ୍ରି ଅନୁଯାୟୀ, ଡିକ୍ରିଧାରୀଙ୍କ ସପକ୍ଷରେ ୩୧ କୋଟି ୩୮ ଲକ୍ଷ ୮୬ ହଜାର ୫୨୯ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ରହିଛି । ଏହି ଅର୍ଥ ପୈଠ ନ ହେବାରୁ ଅଦାଲତଙ୍କ ପକ୍ଷରୁ ସମ୍ପତି ହସ୍ତାନ୍ତର ଉପରେ ନିଷେଧାଦେଶ ଜାରି ହୋଇଛି । ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ, ମହାନଦୀ ବ୍ୟାରେଜ୍ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଥିବା ତିନି ମହଲା ବିଶିଷ୍ଟ ଆରସିସି କୋଠା ଏବଂ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ରେକର୍ଡ ରୁମ୍ ଥିବା ଦୁଇ ମହଲା ବିଶିଷ୍ଟ ଆରସିସି କୋଠାକୁ ନିଷେଧାଦେଶ ପରିସରଭୁକ୍ତ କରାଯାଇଛି । ଉକ୍ତ ଦୁଇଟି କୋଠା କଟକ ଗଣ୍ଡରପୁରସ୍ଥିତ ମହାନଦୀ ବ୍ୟାରେଜ୍ ବିଭାଗ ଅଧୀନରେ ରହିଛି । ପରବର୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଏହି ସମ୍ପତି ଗୁଡ଼ିକୁ ବିକ୍ରି, ଦାନ କିମ୍ବା ଅନ୍ୟ କୌଣସି ଉପାୟରେ ହସ୍ତାନ୍ତର ବା ସେଥିରେ କୌଣସି ଦାୟିତ୍ଵ ସୃଷ୍ଟି କରିବା ଉପରେ ଅଦାଲତ ରୋକ ଲଗାଇଛନ୍ତି । ଏଥିସହ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ମଧ୍ୟ ଏହି ସମ୍ପତି କ୍ରୟ କିମ୍ବା ଅନ୍ୟ ଉପାୟରେ ଗ୍ରହଣ କରିବାକୁ ବାରଣ କରାଯାଇଛି । ଡିକ୍ରୀଧାରୀଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାନ୍ତ ଦ୍ଵିବେଦୀ ଏବଂ ବିଶ୍ବଜିତ ମଲ୍ଲିକ ପ୍ରମୁଖ ମାମଲାଟିକୁ ପରିଚାଳନା କରୁଛନ୍ତି ।

Share