ବାତ୍ୟା ‘ମୁରାସୁ’ ପାଇଁ ରାୟଗଡ଼ା, କନ୍ଧମାଳ ଓ କଳାହାଣ୍ଡିରେ ବନ୍ଦ ରହିବ ସ୍କୁଲ

School close 735x430

ଭୁବନେଶ୍ବର: ବାତ୍ୟା ‘ମୁରାସୁ’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାରେ ଦୁଇ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆସନ୍ତା ୩ ଓ ୪ ତାରିଖରେ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରହିବ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।ବାତ୍ୟା ଯୋଗୁଁ ସମ୍ଭାବ୍ୟ ବର୍ଷା ଓ ପ୍ରତିକୂଳ ପାଣିପାଗ ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଛି। ଏନେଇ ଜିଲ୍ଲାପାଳଙ୍କ ପକ୍ଷରୁ ଛୁଟି ସମ୍ପର୍କିତ ଘୋଷଣା କରାଯାଇଛି।

ଅନ୍ୟପଟେ, ବାତ୍ୟା ‘ମୁରାସୁ’ ପାଇଁ ରାୟଗଡ଼ାରେ ୨ ଦିନ ସ୍କୁଲ ଛୁଟି । ନଭେମ୍ବର ୩ ଓ ୪ରେ ବନ୍ଦ ରହିବ ସମସ୍ତ ସ୍କୁଲ । ଆଶ୍ରୟସ୍ଥଳୀ ଭାବେ ବ୍ୟବହାର ହେବ ବିଦ୍ୟାଳୟ । ବାତ୍ୟା ‘ମୁରାସୁ’କୁ ନେଇ ଆଗୁଆ ସତର୍କତା ଅବଲମ୍ବନ କରିଛି ରାୟଗଡ଼ା ଜିଲ୍ଲା ପ୍ରଶାସନ । ଏହି ନିର୍ଦ୍ଦେଶ କେନ୍ଦ୍ରୀୟ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ଲାଗୁ ହେବ ।

ବାତ୍ୟା ପ୍ରଭାବରେ ସମ୍ଭାବ୍ୟ ବର୍ଷା ଓ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ପିଲାମାନଙ୍କ ସୁରକ୍ଷା ନିମନ୍ତେ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଫଳରେ ଆସନ୍ତାକାଲି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ସହ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ସାଧାରଣ କାର୍ଯ୍ୟକଳାପ ବନ୍ଦ ରହିବ । ଏହା ସହ ଅଭିଭାବକମାନେ ପିଲାମାନଙ୍କୁ ଘରେ ସୁରକ୍ଷିତ ରଖିବା ସହ ପାଣିପାଗ ସମ୍ପର୍କିତ ସରକାରୀ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

‘ମୁରାସୁ’ର ସମ୍ଭାବ୍ୟ ପ୍ରଭାବକୁ ନଜରରେ ରଖି କଳାହାଣ୍ଡି ଜିଲ୍ଲାରେ ଆସନ୍ତାକାଲି ସ୍କୁଲ ଛୁଟି ଘୋଷଣା କରାଯାଇଛି । ଏଥିସହ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରହିବ ।

ତେବେ ସ୍କୁଲ ଛୁଟି ରହିଲେ ମଧ୍ୟ ଆବଶ୍ୟକସ୍ଥଳେ ବିଦ୍ୟାଳୟଗୁଡ଼ିକୁ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ । ଏଥିପାଇଁ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀମାନଙ୍କୁ ଶ୍ରେଣୀଗୃହର ଚାବି ସ୍ଥାନୀୟ ଶିକ୍ଷକ କିମ୍ବା ଦାୟିତ୍ୱପ୍ରାପ୍ତ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିବାକୁ କୁହାଯାଇଛି । ସେହିପରି ସମସ୍ତ ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କୁ ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 

Share