ରାଜଧାନୀ ଦିଲ୍ଲୀରୁ ଆସିଛି ବିଚଳିତ କରିବା ଭଳି ଘଟଣା। ଜଣେ ବ୍ୟକ୍ତିଙ୍କୁ କାର୍‌ ବନେଟରେ ଲାଖିଥିବା ବେଳେ ତାଙ୍କୁ ଦୀର୍ଘ ୩ କିମି ବାଟ ଘୋଷାଡ଼ି ନେଇଛନ୍ତି ଡ୍ରାଇଭର। ଏହି କାର୍‌ଟି ବିହାର ସାଂସଦ ଚନ୍ଦନ ସିଂହଙ୍କର ବୋଲି କୁହାଯାଉଛି। କିନ୍ତୁ ଘଟଣା ବେଳେ ସାଂସଦ ସିଂହ କାର୍‌ରେ ନଥିଲେ। ତାଙ୍କ ଡ୍ରାଇଭର ଗାଡ଼ି ଚଳାଉଥିଲେ।

କାର୍‌ର ବନେଟରେ ଜଣେ ବ୍ୟକ୍ତି ଝୁଲିଥିବା ବେଳେ ଚାଳକ ଜଣଙ୍କ ଏହାକୁ ଅଟକାଇ ନଥିଲେ। ସେ କାର୍‌କୁ ଆଶ୍ରମ ଛକରୁ ନିଜାମୁଦ୍ଦିନ ଦର୍ଘା ଯାଏ ଖୁବ ଜୋରରେ ନେଇଯାଇଥିଲେ। କାର୍‌ଟି ରାସ୍ତାରେ ଯାଉଥିବା ବେଳେ ବନେଟରେ ଝୁଲିଥିବା ବ୍ୟକ୍ତି ଗାଡ଼ି ଅଟକାଇବାକୁ ଚତ୍କାର କରିଥିଲେ। କିନ୍ତୁ କାର୍‌ ଚାଳକ ଜଣଙ୍କ କିଛି ନ ଶୁଣି, ତାଙ୍କୁ ୩ କିମି ବାଟ ସେଭଳି ଅବସ୍ଥାରେ ନେଇ ଯାଇଥିଲେ।

ଶେଷରେ ପୁଲିସ୍‌ ଘଟଣାକୁ ଦେଖିବା ପରେ ଗାଡ଼ିଟିକୁ ପିଛା କରି ଅଟକାଇବାକୁ ସକ୍ଷମ ହୋଇଥିଲା। ରାତି ୧୧ଟାରେ ପୂରା ଘଟଣା ଘଟିଛି। ପୁଲିସ୍‌ ଗୋଟିଏ ମାମଲା ରୁଜୁ କରି ଡ୍ରାଇଭରଙ୍କୁ ଅଟକ ରଖିଛି।

କାର୍‌ ବନେଟରେ ଅତ୍ୟନ୍ତ ବିପଦଜନକ ଭାବେ ଝୁଲି ୩ କିମି ରାସ୍ତା ଅତିକ୍ରମ କରିଥିବା ଚେତନ ନାମକ ବ୍ୟକ୍ତି ଜଣଙ୍କ ଏବେ ଠିକ ଅଛନ୍ତି। ସେ କହିଛନ୍ତି, “ଅଭିଯୁକ୍ତ ଡ୍ରାଇଭର ଜଣଙ୍କ ପ୍ରଚୁର ମଦ ପିଇଛନ୍ତି। ତାଙ୍କ କାର୍‌ ମୋ ଗାଡ଼ି ସହ ୩ ଥର ଘଷି ହୋଇଥିଲା। ଏହାକୁ ବିରୋଧ କରି ମୁଁ ତାଙ୍କ ଗାଡ଼ି ସାମ୍ନାକୁ ଆସିଥିଲି ଓ ଛିଡ଼ା ହୋଇଥିଲି।

କିନ୍ତୁ ସେ ଗାଡ଼ି ଷ୍ଟାର୍ଟ କରି ଆଗକୁ ଯିବା ପାଇଁ ଚେଷ୍ଟା କରିଥିଲେ। ତେଣୁ ମୁଁ ବନେଟ ଧରି ଝୁଲି ପଡ଼ିଥିଲି। ମୁଁ ବିପଦଜନକ ଭାବେ ଏହା ଉପରେ ରହିଥିଲେ ହେଁ ସେ ଗାଡ଼ି ନ ଅଟକାଇ ଆଗକୁ ମାଡ଼ି ଚାଲିଥିଲେ। ସେ ଏତେ ବାଟ ମୋତେ ଘୋଷାଡ଼ି ନେବା ବେଳେ ମୁଁ ତାଙ୍କୁ ଅଟକିବାକୁ କହିଥିଲି। ବାରମ୍ବାର ଅନୁରୋଧ ସତ୍ତ୍ୱେ ସେ କିଛି ବି ଶୁଣି ନଥିଲେ।” ଏହି ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share