Wre

ଚେନ୍ନାଇ: ବିଧବା ଏବଂ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ଭାରତର ନୂତନ ସଂସଦ ଭବନ ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ ବୋଲି ବୁଧବାର ଦିନ ତାମିଲନାଡୁ ମନ୍ତ୍ରୀ ତଥା ‘ଡିଏମ୍‌କେ’ ନେତା ଉଦୟନିଧି ଷ୍ଟାଲିନ୍‌ କହିଥିବା କଥା ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ମଦୁରାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ବେଳେ ଉଦୟନିଧି କହିଲେ, ନୂଆ ସଂସଦ ଭବନ ଉଦ୍‌ଘାଟନ କରାଗଲା। ଉଦ୍‌ଘାଟନ ନିମନ୍ତେ ସେମାନେ (ବିଜେପି) ତାମିଲନାଡୁରୁ ‘ଅଧୀନମ୍‌’ମାନଙ୍କୁ (ମଠ ମହନ୍ତ) ନେଲେ, କିନ୍ତୁ ବିଧବା ଏବଂ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ଭାରତର ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ କରାଗଲା ନାହିଁ। ଏହା କ’ଣ ସନାତନ ଧର୍ମ? ଆମେ ଏହା ବିରୋଧରେ ପ୍ରତିବାଦ ଜାରି ରଖିବୁ।

ଗୁରୁତ୍ବାରୋପ କରି ଉଦୟନିଧି କ‌ହିଲେ ଯେ, ପ୍ରାୟ ୮୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ସଂସଦ ଭବନ ଗୋଟାଏ ବିଶାଳ ପ୍ରକଳ୍ପ। କିନ୍ତୁ, ଭାରତର ପ୍ରଥମ ନାଗରିକ ହୋଇ ମଧ୍ୟ ରାଷ୍ଟ୍ରପତି ମୁର୍ମୁଙ୍କୁ ନିମନ୍ତ୍ରଣ କରାଗଲା ନାହିଁ।

ସେ ପୁଣି କହିଲେ, ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ଗୃହୀତ ହେଲା। ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀମାନଙ୍କୁ ନିମନ୍ତ୍ରଣ କରାଗଲା ବେଳେ ବ୍ୟକ୍ତିଗତ କାରଣରୁ ରାଷ୍ଟ୍ରପତିଙ୍କୁ ବାଦ ଦିଆଗଲା। ଏ ସବୁ ଘଟଣା ‘ସନାତନ ଧର୍ମ’ ପ୍ରଭାବର ସୂଚାଉଛି।

‘ସନାତନ ଧର୍ମ’ ଉପରେ ଦେଇଥିବା ପ୍ରାରମ୍ଭିକ ଟିପ୍ପଣୀ ଯୋଗୁଁ ସୃଷ୍ଟି ହୋଇଥିବା ବିବାଦ ବିଷୟରେ ଉଦୟନିଧି କହିଲେ, ଲୋକେ ମୋ ମୁଣ୍ଡର ମୂଲ୍ୟ ଧାର୍ଯ୍ୟ କରିଛନ୍ତି। ସେ କଥା ପାଇଁ ମୁଁ ଚିନ୍ତିତ ନୁହେଁ। ‘ସନାତନ’ ବିଲୋପନ ନୀତିକୁ ଆଧାର କରି ‘ଡିଏମ୍‌କେ’ ସ୍ଥାପନ କରାଯାଇଥିଲା। ତେଣୁ, ଲକ୍ଷ୍ୟ ହାସଲ ନ ହେବା ପର୍ଯ୍ୟନ୍ତ ଆମେ ବିଶ୍ରାମ ନେବୁ ନାହିଁ।

Share