ଗତକାଲି ମହାପ୍ରଭୁ ଅଧିକ ସମୟ ରଥ ଉପରେ ବିରାଜମାନ କରିଥିବାରୁ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଥିଲେ। ଭକ୍ତମାନେ ଆଖି ରଖି ମନଭରି ଚତୁର୍ଦ୍ଧା ମୂର୍ତ୍ତିଙ୍କ ରଥାରୂଢ଼ ରୂପକୁ ନିହାରିଥିଲେ। ରଥଯାତ୍ରା ପୂର୍ବ ରାତିରୁ ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବା ବେଳେ, ଗତକାଲି କିନ୍ତୁ ପାଗ ବେଶ୍ ଅନୁକୂଳ ଓ ସୁନ୍ଦର ଥିଲା। ଭକ୍ତମାନେ ପ୍ରକୃତିର ଏହି ସୁନ୍ଦର ପରିବେଶ ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଥିଲେ। ଆଜି ସକାଳୁ ଆଡପ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।
ପୁରୀ:ଶ୍ରଦ୍ଧାଳୁଙ୍କ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ରଥଯାତ୍ରାର ମହାପର୍ବ ମଧ୍ୟରେ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଶ୍ରୀଗୁଣ୍ଡିଚା ମନ୍ଦିରର ଜନ୍ମବେଦୀ ତଥା ଆଡପ ମଣ୍ଡପକୁ ବିଜେ କରିଛନ୍ତି କାଳିଆ ସାଆନ୍ତେ। କେବଳ କାଳିଆ ଠାକୁର ନୁହନ୍ତି, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ ମଧ୍ୟ ପରମ ଶୃଙ୍ଖଳାର ସହ ଆଡପ ମଣ୍ଡପରେ ବିରାଜମାନ କରିଛନ୍ତି। ଆଜି ଅର୍ଥାତ୍ ରବିବାର ସକାଳୁ ଶ୍ରଦ୍ଧାଳୁମାନେ ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି|
ଗତକାଲି ଶନିବାର ସନ୍ଧ୍ୟାରେ ରଥ ଉପରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବା ପରେ ଏବଂ ଚାରମାଳ ବନ୍ଧା ହେବା ପରେ ଶ୍ରୀଜୀଉମାନଙ୍କର ପହଣ୍ଡି ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁଙ୍କ ହରିବୋଲ ଓ ହୁଳହୁଳି ଧ୍ୱନିରେ ସାରା ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଉଠିଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନ, ତା’ପରେ ବଡ଼ଭାଇ ପ୍ରଭୁ ବଳଭଦ୍ର,ତାଙ୍କ ପଛେ ପଛେ ମା’ ସୁଭଦ୍ରା ଏବଂ ଶେଷରେ ବିଶ୍ୱ ନିୟନ୍ତା କାଳିଆ ଠାକୁର ମସ୍ତକରେ ସୁଦୃଶ୍ୟ ଟାହିଆ ଲଗାଇ, ବାମ-ଡାହାଣକୁ ଝୁଲି ଝୁଲି ଚାରମାଳରୁ ତଳକୁ ଓହ୍ଲାଇଥିଲେ। ଏହି ଭାବପୂର୍ଣ୍ଣ ଆଡପ ମଣ୍ଡପ ବିଜେ ପହଣ୍ଡିର ଚମତ୍କାର ଦୃଶ୍ୟକୁ ଦେଖି ଉପସ୍ଥିତ ଲକ୍ଷ ଲକ୍ଷ ଭକ୍ତ ବିମୋହିତ ହୋଇପଡ଼ିଥିଲେ।

