Sc

ନୂଆଦିଲ୍ଲୀ: ରାଜ୍ୟ ସରକାରଙ୍କ ଯୋଜନା-ପ୍ରସ୍ତୁତି ନିଷ୍ପତ୍ତିରେ ହସ୍ତକ୍ଷେପ କରିପାରିବେ ନାହିଁ କହିବା ସହିତ ଜାତିଭିତ୍ତିକ ଜନଗଣନା ଉପରେ ସବିଶେଷ ତଥ୍ୟାବଳି ପ୍ରକାଶନରୁ ବିହାର ସରକାରଙ୍କୁ ନିବୃତ କରାଯାଇ ପାରିବ ନାହିଁ ବୋଲି ଆଜି ସୁପ୍ରିମ୍ କୋର୍ଟ କହିଛନ୍ତି।

ସୁପ୍ରିମ୍‌ କୋର୍ଟ କହିଛନ୍ତି, ଏବେ ଆମେ କିଛି ଅଟକାଇବୁ ନାହିଁ। ନୀତି ନିର୍ଦ୍ଧାରଣ କରିବାରୁ ଆମେ ରାଜ୍ୟ ସରକାର ଅଥବା ଅନ୍ୟ କୌଣସି ସରକାରଙ୍କୁ ବାଧା ଦେଇ ପାରିବୁ ନାହିଁ। ତାହା କରିବା ଭୁଲ୍‌। କିନ୍ତୁ, ଏହା କରିବା ଲାଗି ରାଜ୍ୟ ସରକାରଙ୍କର ଥିବା କ୍ଷମତା ସଂକ୍ରାନ୍ତ ଅନ୍ୟାନ୍ୟ ପ୍ରସଙ୍ଗକୁ ଆମେ ତର୍ଜମା କରିବୁ।

ବିହାରରେ ଜାତିଭିତ୍ତିକ ସର୍ବେକ୍ଷଣ ନିମନ୍ତେ ଅନୁମତି ଦେଇଥିବା ପାଟନା ହାଇକୋର୍ଟଙ୍କ ଅଗଷ୍ଟ ୧ ତାରିଖ ଆଦେଶକୁ ଚାଲେଞ୍ଚ୍‌ କରି ଆଗତ କେତେଗୁଡ଼ିଏ ପିଟିସନ୍‌ ଉପରେ ଆଜି ବିଚାରପତି ସଞ୍ଜୀବ ଖାନ୍ନା ଓ ଏସ୍. ଭି. ଏନ୍‌. ଭଟ୍ଟିଙ୍କ ଖଣ୍ଡପୀଠ ଔପଚାରିକ ନୋଟିସ୍‌ ଜାରି କରିଛନ୍ତି। ଜାନୁଆରି ୨୪ରେ ଏହାର ଶୁଣାଣି କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି।

ଏହାଛଡ଼ା, ଏହି ପ୍ରସଙ୍ଗରେ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବା ଲାଗି ଖଣ୍ଡପୀଠ ବିହାର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

ପିଟିସନର୍‌ମାନଙ୍କ କହିବା ଅନୁସାରେ, ସୁପ୍ରିମ୍‌ କ‌ୋର୍ଟଙ୍କ ଆଦଶେ ଅନୁଯାୟୀ ଜାତିଭିତ୍ତିକ ଜନଗଣନା ତଥ୍ୟାବଳି ସଂଗୃହୀତ ହୋଇନାହିଁ। ତା’ଛଡ଼ା ସର୍ବେକ୍ଷଣ ବା ସର୍ଭେ ନିମନ୍ତେ ସବିଶେଷ ତଥ୍ୟାବଳି ସଂଗ୍ରହ କରିବାର କୌଣସି ବୈଧ୍ୟ ଉଦ୍ଦେଶ୍ୟ ନାହିଁ।

ରହିତାଦେଶ ଜାରି ପୂର୍ବରୁ ବିହାର ସରକାର କିଛି ତଥ୍ୟାବଳି ପ୍ରକାଶ କରି ଦେଇଛନ୍ତି ଏବଂ ବାକି ତଥ୍ୟାବଳି ପ୍ରକାଶ କରିବାରୁ ବିହାର ସରକାରଙ୍କୁ ନିବୃତ କରାଯାଉ ବୋଲି ପିଟିସନର୍‌ମାନେ କରିଥିବା ଆପତ୍ତିକୁ ସୁପ୍ରିମ୍‌ କୋର୍ଟ ଖାରଜ କରିଛନ୍ତି।

Share