ନୂଆଦିଲ୍ଲୀ: ଇରାନୀ ସମ୍ବାଦ ସରବରାହ ସଂସ୍ଥା ‘ତସନିମ’ ଅନୁସାରେ ହର୍ମୁଜ ପ୍ରଣାଳୀରେ ଏକ ତୈଳ ଟ୍ୟାଙ୍କରରେ ବିସ୍ଫୋରଣ ହୋଇଛି। ଜାହଜରେ ଏହି ବିସ୍ଫୋରଣ ଇରାନ ଦ୍ୱାରା ନିର୍ଦ୍ଧାରିତ ଜଳ ମାର୍ଗ ବାହାରେ ମାଇନ ସଂସ୍ପର୍ଶରେ ଆସିବା ଯୋଗୁ ହୋଇଛି। ଏହି ମାମଲାରେ ଇରାନ ଅଧିକାରୀମାନେ ଏ ପର୍ଯ୍ୟନ୍ତ କୌଣସି ବୟାନ ଦେଇ ନାହାନ୍ତି। ଏହି ଘଟଣା ଇସ୍ଲାମିକ ରିଭଲ୍ୟୁସନାରୀ ଗାର୍ଡ କ୍ରପ (ଆଇଆରଜିସି) ଦ୍ୱାରା ଗୁରୁବାର ଦିଆଯାଇଥିବା ସୂଚନା ପରେ ଆସିଛି। ୩ଟି ତୈଳ ଟ୍ୟାଙ୍କର ହର୍ମୁଜ ପାର କରୁଥିବା ବେଳେ ଗୋଟିଏ ଟ୍ୟାଙ୍କର ଡାହାଣପଟ ଅନଧିକୃତ ମାର୍ଗକୁ ଚାଲି ଯାଇଥିଲା।
ଆଇଆରଜିସି ଅନୁସାରେ ଗୋଟିଏ ଜାହାଜ ସମୁଦ୍ର ମାଇନ ସଂସ୍ଫର୍ଶରେ ଆସିଥିଲା ଓ ସେଥିରେ ନିଆଁ ଲାଗି ଯାଇଥିଲା। ଏହା ପରେ ଚେତାବନୀ ମିଳିବାରୁ ଅନ୍ୟ ୨ଟି ଟ୍ୟାଙ୍କର ଫେରି ଯାଇଛନ୍ତି। ଏଥିରେ ଆଇଆରଜିସି ସ୍ପଷ୍ଟ ଭାବେ କହିଛି ଯେ ଇରାନୀ ଅଧିକାରୀଙ୍କ ସହ ସମନ୍ୱୟ ନରଖି ଜଳମାର୍ଗରେ ଯାତ୍ରା ପ୍ରୟାସ କଲେ ଜାହାଜଙ୍କ ଏହି ଅବସ୍ଥା ହେବ। ଏହା ପୂର୍ବରୁ ଜୁଲାଇ ୧୪ ତାରିଖରେ ୨ଟି ସୁପର ଟ୍ୟାଙ୍କରକୁ ଆକ୍ରମଣ କରି ଆଇଆରଜିସି ନିଷ୍କ୍ରିୟ କରିଦେଇଥିଲା। କାରଣ ବାରମ୍ବାର ଦିଆଯାଉଥିବା ଚେତାବନୀକୁ ଟ୍ୟାଙ୍କର ଦ୍ୱୟ ଅବମାନନା କରିଥିଲେ। ସେମାନେ ନିଜର ନେଭିଗେସନ ବନ୍ଦ କରି ନିର୍ଦ୍ଧାରିତ ସିପିଂ ମାର୍ଗ ବାହାରେ ମାଇନ୍ସ ବିଛା ଯାଇଥିବା ରାସ୍ତାରେ ଚାଲି ଯାଇଥିଲେ।
ଏଥି ମଧ୍ୟରେ ପାଖାପାଖି ୨ ସପ୍ତାହଧରି ଜାରିଥିବା ଆମେରିକା ଆକ୍ରମଣ ଏବେ ଥମିଯାଇଛି। ଗତ ୨ ଦିନ ହେଲା ଇରାନ ଉପରେ କୌଣସି ଆମେରିକୀୟ ଆକ୍ରମଣ ହୋଇ ନାହିଁ। ଏହି ଆକ୍ରମଣ ଅଟକିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସ୍ ରେ ଗଣମାଧ୍ୟମକୁ ସମ୍ବୋଧନ କରି ଇରାନ ଉପରେ ଆକ୍ରମଣ ଜାରି ରଖିବା ଅଥବା ବଢାଇବାର ବିକଳ୍ପ ଆମ ହାତରେ ଥିବା କହିଛନ୍ତି। ତେବେ ଇରାନ ସହିତ ବୁଝାମଣା କରିବା ଅଧିକ ବ୍ୟବହାର୍ଯ୍ୟ ବିକଳ୍ପ ବୋଲି ସେ କହିଛନ୍ତି।

