Nms 750x430

ମୁମ୍ବାଇ: ଭାରତ ସରକାର ୫୦୦ କୋଟି ଟଙ୍କା ଦେବା ସହିତ କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର୍‌ ଲରେନ୍‌ସ୍‌ ବିଷ୍ଣୋଇଙ୍କୁ ମୁକ୍ତ ନ କଲେ ‘ଆଇସିସି ମେନ୍‌ସ୍‌ କ୍ରିକେଟ୍‌ ୱାର୍ଲଡ୍‌ କପ୍‌’ ମ୍ୟାଚ୍‌ ଚାଲିଥିବା ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବୋମା ମାରି ଉଡ଼ାଇ ଦେବୁ ବୋଲି ଗୁରୁବାର ରାତିରେ ମୁମ୍ବାଇ ପୁଲିସ ନିକଟକୁ ଇମେଲ୍‌ ଜରିଆରେ ଧମକ ଆସିଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
ଆକ୍ରମଣ ପାଇଁ ଆତଙ୍କବାଦୀ ସଙ୍ଗଠନ ଲୋକ ନିଯୁକ୍ତ କରିସାରିଥିବା କଥା ମଧ୍ୟ ଉକ୍ତ ଇ-ମେଲ୍‌ରେ ଉଲ୍ଲେଖ କରାଯାଇଛି।
ସମ୍ପ୍ରତି ବିଷ୍ଣୋଇଙ୍କୁ ଦିଲ୍ଲୀସ୍ଥିତ ମାନ୍ଦୋଲି ଜେଲ୍‌ରେ ରଖାଯାଇଛି। ପୁଲିସ କହିଛି, ୟୁରୋପରୁ ପଠାଯାଇଥିବା ଭଳି ମନେ ହେଉଥିବା ଉକ୍ତ ଇମେଲ୍‌ ପ୍ରଥମେ ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ (ଏନ୍‌ଆଇଏ) ନିକଟକୁ ଆସଥିଲା। ସେମାନେ ଏ ସଂକ୍ରାନ୍ତରେ ମୁମ୍ବାଇ ପୁଲିସକୁ ସତର୍କ କରାଇଛନ୍ତି।
ଜଣେ ପୁଲିସ ଅଧିକାରୀ କହିଛନ୍ତି, ଆମେ ‘ଏନ୍‌ଆଇଏ’ଠାରୁ ଉକ୍ତ ଇମେଲ୍‌ ପାଇଛୁ। ସେମାନେ ଅନ୍ୟାନ୍ୟ ସ୍ଥାନରେ ଥିବା ଏ ବିଭାର ସମସ୍ତ ଏଜେନ୍‌ସିମାନଙ୍କୁ ସତର୍କ କରାଇ ଦେଇଛନ୍ତି। ‘ଏନ୍‌ଆଇଏ’ ଯେଉଁଠୁ ଉକ୍ତ ଇମେଲ୍‌ ପାଇଥିଲା ଆମେ ବି ତା’ର ‘ଆଇଡି’ ପାଇ ଅନୁସନ୍ଧାନ ଆରମ୍ଭ କରିଛୁ। ପ୍ରାଥମିକ ଅନୁସନ୍ଧାନରୁ ମନେହେଉଛି, ସ‌େ ଇମେଲ୍‌ ୟୁରୋପରୁ ଆସିଛି। କେହି ବିଦେଶରେ ଥାଇ ଏମିତି ମିଥ୍ୟା ଧମକାଣ ବା ମଜା କରୁଥାଇ ପାରନ୍ତି। କିନ୍ତୁ, ଇମେଲ୍‌ ପ୍ରେରକଙ୍କୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ପ୍ରୟୋଜନ ହେଲେ ସମସ୍ତ କ୍ରିକେଟ୍‌ ମ୍ୟାଚ୍‌ର ସୁରକ୍ଷା ଆହୁରି ବୃଦ୍ଧି କରାଯିବ।

Share