2b8c45e1 63db 47d7 9bc8 8bc9db012e80 750x430

ରାଉରକେଲା: ସହରାଞ୍ଚଳ ରୂପାନ୍ତରଣ ସହ ଶ୍ରମିକ ମାନଙ୍କ ଶ୍ରମ ନିଯୁକ୍ତି ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା କାର୍ଯ୍ୟକାରୀ ହେଉଛି। ଏହି କ୍ରମରେ ମୁକ୍ତା ଯୋଜନାରେ ଆଜି ୧୬୧ଟି ପ୍ରକଳ୍ପ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ମୁଖ୍ୟଅତିଥି ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଏହି ଯୋଜନା କେବଳ ସହରର ଶ୍ରମିକଙ୍କ ପାଇଁ ନିଶ୍ଚିତ କର୍ମ ନିଯୁକ୍ତି ସୃଷ୍ଟି କରିନି; ବରଂ ସ୍ଥାନୀୟ ମିଶନ ଶକ୍ତି ମହିଳାଙ୍କ ହାତ ମୁଠାକୁ ଟାଣ କରିଛି ବୋଲି କହିଥିଲେ।
ଉଲ୍ଲେଖଯୋଗ୍ୟ, ସହରର ଉନ୍ନତିକରଣ ପାଇଁ ୧୬୧ଟି ପ୍ରକଳ୍ପ ବାବଦକୁ ମୋଟ ୧୨ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି। ଏଥିରେ ସହର ସୌନ୍ଦର୍ଯ୍ୟୀକରଣ ସମେତ ଡ୍ରେନ୍, ପାର୍କ, ଶିଶୁ କ୍ରୀଡ଼ା ଉଦ୍ୟାନ, ୱାକିଂ ଟ୍ରାକ୍‌, ବୃକ୍ଷରୋପଣ, ଶୌଚାଳୟ, କମ୍ୟୁନିଟି ସେଣ୍ଟର, ୫ଟି ବିଦ୍ୟାଳୟ ରୂପାନ୍ତରଣ, ଖୋଲା ସ୍ଥାନର ଉନ୍ନତିକରଣ, ଜଳାଶୟ ପୁନରୁଦ୍ଧାର, ପବ୍ଲିକ୍ ଜିମ୍, ଭେଣ୍ଡିଂ ଜୋନ୍ ଆଦି ନିର୍ମାଣ କରାଯିବ। ଏହି ପ୍ରକଳ୍ପ ସିଧାସଳଖ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ଓ ବସ୍ତି ଉନ୍ନୟନ ସଂଘ ମାଧ୍ୟମରେ କାର୍ଯ୍ୟକାରୀ ହେବ। ଏହି ଅବସରରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଡା. ଶୁଭଙ୍କର ମହାପାତ୍ର, ଡେପୁଟି କମିସନର ସୁଧାଂଶୁ ଭୋଇ, ସୀତାଦେବୀ ମାଝୀ, ରୋନିତ କୁମାର, ସୁକାନ୍ତ ବେହୁରିଆ, ଆସିଷ୍ଟାଣ୍ଟ କମିସନର ନରେନ୍ଦ୍ର ପ୍ରଧାନ, ଗୌରବମୟ ପ୍ରଧାନ, ନିର୍ବାହୀ ଯନ୍ତ୍ରୀ ଅଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Share