Pia

ଇସ୍‌ଲାମାବାଦ: ଇନ୍ଧନ ଅଭାବରୁ ସରକାରୀ ବିମାନ ଚଳାଚଳ ସଂସ୍ଥାନ ‘ପାକିସ୍ତାନ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏୟାର୍‌ଲାଇନ୍‌ସ୍‌’ (ପିଆଇଏ) ଉଭୟ ଦେଶ ଭିତରେ ଓ ବିଦେଶକୁ ଚଳାଚଳ କରୁଥିବା ୪୮ଟି ବିମାନ ବାତିଲ କରିଥିବା କଥା ସମ୍ବାଦପତ୍ର ‘ଦି ଡନ୍‌’ ରିପ‌ୋର୍ଟ କରିଛି।

‘ପିଆଇଏ’ର ଜଣେ ମୁଖପାତ୍ର ପାକିସ୍ତାନୀ ସମ୍ବାଦପତ୍ର ‘ଦି ଡନ୍‌’କୁ କହିଛନ୍ତି, ଦୈନିନ୍ଦିନ ବିମାନ ଚଳାଚଳ ପାଇଁ ସୀମିତ ପରିମାଣର ଇନ୍ଧନ ଓ ପରିଚାଳନାଗତ ସମସ୍ୟା ଥିବାରୁ ବିମାନ ସବୁ ବାତିଲ କରାଯାଇଛି। କେତେକ ବିମାନର ଉଡ଼ାଣ ସମୟ ମଧ୍ୟ ପୁନର୍ନିର୍ଦ୍ଧାରଣ କରାଯାଇଛି।

ମୁଖପାତ୍ରଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ଇନ୍ଧନ ଅଭାବରୁ ଦେଶ ମଧ୍ୟରେ ଚଳାଚଳ କରୁଥିବା ୧୩ଟି ଓ ବିଦେଶକୁ ଯାତ୍ରା କରୁଥିବା ୧୧ଟି ବିମାନ ଉଡ଼ାଣ ବାତିଲ କରାଯାଇଛି। ବାକି ୧୨ଟି ବିମାନ ଉଡ଼ାଣରେ ବିଳମ୍ବ କରାଯାଇଛି।

‘ପିଆଇଏ’ କହିବା ଅନୁସାରେ, ବାତିଲ କରାଯାଇଥିବା ବିମାନଗୁଡ଼ିକର ଯାତ୍ରୀମାନଙ୍କୁ ବିକଳ୍ପ ବିମାନକୁ ସ୍ଥାନାନ୍ତର କରାଯାଇଛି। ସେହିପରି, ବିମାନ ବନ୍ଦରକୁ ଆସିବା ପୂର୍ବରୁ ଯାତ୍ରୀମାନେ ‘ପିଆଇଏ’ର କଷ୍ଟମର୍‌ କେୟାର୍‌, ‘ପିଆଇଏ’ ଅଫିସ୍‌ ଅଥବା ସେମାନଙ୍କ ‘ଟ୍ରାଭେଲ୍‌ ଏଜେଣ୍ଟ୍‌’ମାନଙ୍କ ସହିତ ଯୋଗାଯୋଗ କରି ପରିସ୍ଥିତି ବିଷୟରେ ଅବଗତ ହୁଅନ୍ତୁ।

ରିପୋର୍ଟ ଅନୁସାରେ, ଆଜି ‘ପିଆଇଏ’ ୧୬ଟି ଆନ୍ତର୍ଜାତିକ ବିମାନ ଓ ୮ଟି ଘରୋଇ ବିମାନ ଉଡ଼ାଣ ବାତିଲ୍‌ କରିଛି। ଆଉ କେତେକ ବିମାନ ଉଡ଼ାଣରେ ବିଳମ୍ବ ଘଟିବ ବୋଲି ଆଶା କରାଯାଉଛି।

Share