ବ୍ରହ୍ମପୁର : ଭାଣିଜୀକୁ ହତ୍ୟା ମାମଲାରେ ଦୋଷୀ ମାମୁକୁ ମୃତ୍ୟୁ ଦଣ୍ଡାଦେଶ । ୨୦୨୨ରେ ବ୍ରହ୍ମପୁରରେ ନାବାଳିକା ଭାଣିଜୀକୁ ହତ୍ୟା ମାମଲାରେ ଦୋଷୀ ମାମୁ ସିପ୍ରିନ ଦିଗାଲକୁ ମୃତ୍ୟୁ ଦଣ୍ଡାଦେଶ । ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପକ୍ସୋ (ଆଡହକ) କୋର୍ଟ ବିଚାରପତି ରୋହିତ ଲାଲ ପଣ୍ଡା ରାୟ ଶୁଣାଇଛନ୍ତି ।
୨୦୨୨ଏପ୍ରିଲ ୨୫ରେ ବ୍ରହ୍ମପୁର ଗୋଇଲୁଣ୍ଡି ବିଦ୍ୟାନଗରରେ ଅଗ୍ନିକାଣ୍ଡରେ ୧୩ ବର୍ଷୀୟା ଗାୟତ୍ରୀ ପାତ୍ରଙ୍କ ମୃତ୍ୟୁ ଘଟିଥିଲା I ଏହି ଘଟଣାରେ ପୋଲିସ ତଦନ୍ତ କରି ମୃତ ନାବାଳିକାର ମାମୁ ସିପ୍ରିନ ଦିଗାଲକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗିରଫ ମାମୁ ସିପ୍ରିନ ଦିଗାଲ ଭାଣିଜୀ ଗାୟତ୍ରୀଙ୍କୁ ଖରାପ ନଜରେ ଦେଖୁଥିଲା ଏବଂ ସେ କିରୋସିନି ଢାଳି ନିଆଁ ଲଗାଇ ଗାୟତ୍ରୀଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା I ଏ ମାମଲାରେ ମୋଟ ୧୩ଜଣଙ୍କ ସାକ୍ଷ୍ୟ ଗ୍ରହଣ ସହିତ ବୟାନ ରେକର୍ଡ କରାଯାଇଥିଲା I
ମାମଲାର ବିଚାର ଶେଷ ହୋଇଥିବା ବେଳେ ବିଚାରପତି ରୋହିତ ଲାଲ ପଣ୍ଡା ଅଭିଯୁକ୍ତ ମାମୁ ସିପ୍ରିନ ଦିଗାଲକୁ ପକ୍ସୋ ମାମଲାରୁ ଖଲାସ କରିଥିଲେ ହେଁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରି ଫାଶି ଦଣ୍ଡରେ ଦଣ୍ଡିତ କରିଛନ୍ତି l ପୂର୍ବରୁ ଅଭିଯୁକ୍ତ ସିପ୍ରିନ ଦିଗାଲ ନିଜ ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇ ଫୁଲବାଣୀ ଜେଲରେ ଥିଲା I କୋର୍ଟରୁ ଅନୁମତି କ୍ରମେ ସେ କିଛି ଦିନ ପାଇଁ ପାରୋଲରେ ବ୍ରହ୍ମପୁର ସ୍ଥିତ ନିଜ ଭଉଣୀ ଘରକୁ ଆସିଥିଲେ ଏବଂ ସେଠାରେ ଏହି ଜଘନ୍ୟ କାଣ୍ଡ ଘଟାଇଥିଲା I

