Buss

ଭୁବନେଶ୍ବର : ଘରୋଇ ବସ୍‌ ମାଲିକ ସଂଘ ଦେଇଥିବା ବସ୍‌ ଧର୍ମଘଟ ସ୍ଥଗିତ ରହିଛି। ସରକାରଙ୍କ ସହ ଅଲୋଚନା ପରେ ବସ୍‌ ମାଲିକ ସଂଘ ବସ୍‌ ଧର୍ମଘଟକୁ ୩୧ ତାରିଖ ଯାଏଁ ସ୍ଥଗିତ ରଖିବା ନେଇ ଘୋଷଣା କରିଛି। ପ୍ରେସମିଟ୍ କରି ଘରୋଇ ବସ୍ ମାଲିକ ସଂଘ ସଭାପତି ଆଜି ରାଜ୍ୟରେ ବସ୍‌ ବନ୍ଦ ନେଇ ଯାତ୍ରୀମାନଙ୍କୁ କ୍ଷମା ମାଗିବା ସହ ଧର୍ମଘଟ ସ୍ଥଗିତ ନେଇ ଘୋଷଣା କରିଛନ୍ତି। ଏଥି ସହିତ ବର୍ତ୍ତମାନଠୁ ବସ୍‌ ଗଡିବା ଆରମ୍ଭ ହୋଇଛି। ଯେଉଁବସ୍‌ ଗୁଡିକ ରାତ୍ରୀରେ ଯାତ୍ରା କରନ୍ତି, ତାହା ବିଭିନ୍ନ ବସ୍‌ଷ୍ଟାଣ୍ଡରୁ ଗଡିଛି। ଆସନ୍ତାକାଲିଠୁ ବସ୍ ସେବା ସ୍ୱାଭାବିକ ହେବ ବୋଲି ଘରୋଇ ବସ୍‌ ମାଲିକ ସଂଘ ସଭାପତି କହିଛନ୍ତି।

ଆଜି ଘରୋଇ ବସ୍‌ ମାଲିକ ସଂଘ ରାଜ୍ୟରେ ବସ୍‌ ସେବା ବନ୍ଦ କରିବା ଫଳରେ ପୂଜାଛୁଟି ସମୟରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖିନ ହୋଇଥିଲେ। ଏହାପରେ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ରାଜ୍ୟ ଘରୋଇ ବସ କର୍ମୀଙ୍କ ବୈଠକ ବସିଥିଲା। ଏହି ବୈଠକରେ ମଧ୍ୟ ପରିବହନ କମିଶନର ଏବଂ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ। ବୈଠକ ପରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ ଆଲୋଚନାରେ ହିଁ ସମାଧାନର ବାଟ ବାହାରେ। ଆଲୋଚନାକୁ ଆସିଲେ । ସରକାର ତାଙ୍କୁ ସହଯୋଗ କରୁଛନ୍ତି ସେମାନେ ବି ସରକାରଙ୍କ ସହ ରହି କାର୍ଯ୍ୟ କରୁଛନ୍ତି ।
ତେଣୁ ପୂଜା ପାର୍ବଣ ସମୟରେ ସାଧାରଣ ଲୋକ ଯେପରି ଅସୁବିଧାରେ ନ ପଡନ୍ତୁ, ସେଥି ପାଇଁ ମୁଁ ସେମାନଙ୍କୁ ଅନୁରୋଧ କରିଥିଲି । ସେମାନେ ସହମତ ହେଲେ । ତାଙ୍କର ବିଭିନ୍ନ ଦାବି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଗରେ ଉପସ୍ଥାପନ କରିବି । ଯାହା ହେଇ ପାରିବ ତାହା ଆମେ କରିବୁ । ମାନ୍ୟବର ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ଯୋଜନା ପରି ଏକ ଯୋଜନା ଆଣି ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ଲକ୍ଷ୍ମୀ ଯୋଜନା ପରିବହନ ସେବା ଲୋକଙ୍କ ପାଖରେ ପହଞ୍ଚିଛି । ଘରୋଇ ବସ ମାଲିକ ସଂଘ ସହ ୨୬ ରେ ସଚିବ ଓ ବରିଷ୍ଠ ପଦାଧିକାରୀ ସ୍ତରରେ ଏକ ବୈଠକ ବସିବ ବୋଲି ମନ୍ତ୍ରୀ କହିଥିଲେ।

ତେବେ ମନ୍ତ୍ରୀଙ୍କ ସହ ବୈଠକରେ ପରେ ଘରୋଇ ବସ ମାଲିକ ସଙ୍ଘ ଏକ ବୈଠକ  କରିଥିଲା। ଏହି ବୈଠକ ପରେ ସେମାନେ ବସ୍‌ ଧର୍ମଘଟକୁ ସ୍ଥଗିି ନେଇ ଘୋଷଣା କରିଛନ୍ତି। ଦଶହରା ବେଳେ ବସ୍‌ ବନ୍ଦ ରହିବା ଫଳରେ ଲୋକ ହଇରାଣ ହୋଇଥିବାରୁ ଘରୋଇ ବସ ମାଲିକ ସଙ୍ଘ ଭୁଲ ମାଗିବା ସହ ୩୧ ତାରିଖ ଯାଏ ଆନ୍ଦୋଳନ ସ୍ଥଗିତ କରିଛନ୍ତି।

Share