Image 1697881357

ପାଟନା : ପରୀକ୍ଷା ହଲ୍‌ରେ ହାଇ ଭୋଲଟେଜ ଡ୍ରାମା। କପି କରିବାକୁ ଅଟକାଇବାରୁ ଶିକ୍ଷକଙ୍କୁ ନିର୍ଧୁମ ଛେଚିଲେ ପରୀକ୍ଷାର୍ଥୀ। ତାଙ୍କ ଡ୍ରେସ ଚିରି ଦେଲେ। କେବଳ ସେତିକି ନୁହେଁ ଅଟକାଇବାକୁ ଆସିଥିବା ଗାର୍ଡକୁ ମଧ୍ୟ ଚାପୁଡା ମାରିଲେ। ମହିଳା ପୁଲିସକର୍ମୀଙ୍କ ଠାରୁ ଛଡାଇ ନେଇଗଲେ ଲାଠି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବିହାରର ଭାଗଲପୁର ବିଶ୍ୱବିଦ୍ୟାଳୟରେ।
ବିହାରର ଭାଗଲପୁର ବିଶ୍ୱବିଦ୍ୟାଳୟରେ ଆଇନ ତଥା ଲ’ ଡିଗ୍ରୀ ପାଇଁ ଷଷ୍ଠ ସେମିଷ୍ଟାର ପରୀକ୍ଷା ଚାଲିଥିଲା। ତେବେ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଜଣେ ମହିଳା ପରୀକ୍ଷାର୍ଥୀ ଘଣ୍ଟାଏ ଆଗରୁ ପରୀକ୍ଷା ହଲ୍‌ରେ ଆସି ବସି ପଡିଥିଲେ। ମନା କରିବା ସତ୍ତ୍ୱେ ବି ସେ ଯାଇନଥିଲେ। ପରୀକ୍ଷା ଆରମ୍ଭ ହେବା ପରେ ସେ ବେଫିକର୍ ଭାବେ ଖୁଲମଖୁଲା କପି କରିଥିଲେ। ଏଭଳି କରିବାକୁ ଶିକ୍ଷକ ତାଙ୍କୁ ଅଟକାଥିଲେ। ଏଥିରେ ରାଗି ଯାଇ ପରୀକ୍ଷାର୍ଥୀ ପ୍ରୀତି କୁମାରୀ ଶିକ୍ଷକଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ମାଡ ମାରିବା ସହ ତାଙ୍କ ଡ୍ରେସ ଚିରି ଦେଇଥିଲେ।
କେବଳ ସେତିକି ନୁହେଁ ତାଙ୍କୁ ଅଟକାଇବାକୁ ଆସିଥିବା ଜଣେ ଗାର୍ଡଙ୍କୁ ମଧ୍ୟ ପ୍ରୀତି ଚାପୁଡ଼ା ମାରିଥିଲେ। ମହିଳା ପୁଲିସକର୍ମୀଙ୍କୁ ମଧ୍ୟ ସେ ଛାଡି ନଥିଲେ। ତାଙ୍କ ଲାଠି ଛଡାଇ ନେଇଥିଲେ। ଏ ସବୁ ହଙ୍ଗାମା କରିବା ପରେ ପ୍ରୀତିଙ୍କୁ ପରୀକ୍ଷାରୁ ବହିସ୍କାର କରାଯାଇଛି। ଏହା ଟିଏମବିୟୁ ଲ’ ବା ଆଇନର ଷଷ୍ଠ ସେମିଷ୍ଟାରର ଶେଷ ପରୀକ୍ଷା ଥିଲା।

Share