Image 1698487805

ନୂଆଦିଲ୍ଲୀ : ଚୀନର ହାଙ୍ଗଝୌରେ ଚାଲିଥିବା ଏସିଆନ ପାରା ଗେମ୍ସରେ ଓଡ଼ିଶାର ସୌନ୍ଦର୍ଯ୍ୟ ପ୍ରଧାନ ଚେସ୍‌ରେ ଦୁଇଟି ପଦକ ଜିତିଛନ୍ତି। ସେଥିରୁ ଗୋଟିଏ ସ୍ୱର୍ଣ୍ଣ ଓ ଅନ୍ୟଟି ରୌପ୍ୟ।
ବରଗଡ଼ର ଅତାବିରାର ଦୃଷ୍ଟି ବାଧିକ ସୌନ୍ଦର୍ଯ୍ୟ ପ୍ରଧାନ ବ୍ୟକ୍ତିଗତ ଭାବେ ରୌପ୍ୟ ପଦକ ଜିତିଥିବା ବେଳେ ଦଳଗତ ଭାବେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
ପୁରୁଷ ବି୧ ଏକକ ବର୍ଗରେ ସେ ରୌପ୍ୟ ପଦକ ପାଇଥିବା ବେଳେ ପୁରୁଷ ବି୧ ଦଳଗତ ଇଭେଣ୍ଟରେ ସେ ଅଶ୍ୱିନୀ ଓ ଦର୍ପଣଙ୍କ ସହିତ ମିଶି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
ପୁରୁଷ ବି୧ ଏକକ ବର୍ଗରେ ୭ ରାଉଣ୍ଡରୁ ୫ ରାଉଣ୍ଡରେ ବିଜୟୀ ହୋଇଥିଲେ ସୌନ୍ଦର୍ଯ୍ୟ। ଆଉ ଗୋଟିଏ ରାଉଣ୍ଡ ଡ୍ର’ ରଖିଥିଲେ। ଫଳରେ ମୋଟ ସାଢ଼େ ୫ ପଏଣ୍ଟ ପାଇ ସେ ରୌପ୍ୟ ପଦକ ଜିତିଥିଲେ।
ଦଳଗତ ଇଭେଣ୍ଟରେ ତାଙ୍କ ଟିମ୍ ୧୫ ପଏଣ୍ଟରୁ ସାଢ଼େ ୧୧ ପଏଣ୍ଟ ପାଇ ସ୍ୱର୍ଣ୍ଣ ପଦକ ଜିତିଥିଲା। ଏହି ସଫଳତା ପାଇଁ ସୌନ୍ଦର୍ଯ୍ୟଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।
ଚଳିତ ଏସିଆନ ପାରା ଗେମ୍ସରେ ଓଡ଼ିଶାର ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ୩ଟି ପଦକ ଜିତିଛନ୍ତି। ତା’ ମଧ୍ୟରେ ଗୋଟିଏ ସ୍ୱର୍ଣ୍ଣ ଓ ଦୁଇଟି ବ୍ରୋଞ୍ଜ ରହିଛି। ତାଙ୍କର ଏହି ସଫଳତା ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ୨ କୋଟି ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି।

Share