Army

ଜମ୍ମୁ କଶ୍ମୀର : ଜମ୍ମୁ-କଶ୍ମୀରରେ ସୁରକ୍ଷା ବଳକୁ ବଡ଼ ସଫଳତା ମିଳିଛି । ଦୀର୍ଘ ୪ ଦିନ ଧରି ଚାଲିଥିବା ସର୍ଚ୍ଚ ଅପରେସନ ପରେ ଯବାନ ଚର୍ଚ୍ଚିତ ଲସ୍କର-ଇ-ତୋଇବାର ଜଣେ ଶୀର୍ଷ କମାଣ୍ଡର ନିହତ ହୋଇଛି । ପହଲଗାମ୍ ଆକ୍ରମଣ ସହ ସମ୍ପୃକ୍ତ ଥିବା ଅଭିଯୋଗରେ ଥିବା ଶୀର୍ଷ କମାଣ୍ଡରଙ୍କ ମୃତଦେହ ଉଦ୍ଧାର ହୋଇଛି । ଶୋପିଆନ ଜିଲ୍ଲାର ଜଙ୍ଗଲ ଅଞ୍ଚଳରୁ ମୃତଦେହ ମିଳିଥିବା ବେଳେ ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି ।

ସୂଚନା ଅନୁସାରେ, ନିହତ ଆତଙ୍କବାଦୀର ନାମ ଜାକିର ଗୁନାଇ ବୋଲି କୁହାଯାଉଛି । ସେ ଲସ୍କର-ଇ-ତୋଇବା ସଂଗଠନର ଜଣେ ସକ୍ରିୟ କମାଣ୍ଡର ଥିଲେ ଏବଂ ପହଲଗାମ୍ ଅଞ୍ଚଳରେ ହୋଇଥିବା ଆତଙ୍କୀ କାର୍ଯ୍ୟକଳାପ ସହ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି ।

ପୋଲିସର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ସୁରକ୍ଷା ବଳ ପାଇଁ ବଡ଼ ସଫଳତା । ଆଉ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ଆପଣ ଫେରାର ହୋଇପାରିବେ, କିନ୍ତୁ ଲୁଚି ପାରିବେ ନାହିଁ ।

ଶୋପିଆନର ଚନ୍ନାପୋରା ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟର ବେଳେ ଜାକିର ଗୁନାଇ ଗୁଳିବିଦ୍ଧ ହୋଇ ଜଙ୍ଗଲକୁ ଫେରାର ହୋଇଯାଇଥିଲା । ଏହା ପରେ ସେନା, ଜମ୍ମୁ-କଶ୍ମୀର ପୋଲିସ ଏବଂ ସିଆରପିଏଫ୍ର ମିଳିତ ଟିମ୍ ବ୍ୟାପକ ସର୍ଚ୍ଚ ଅପରେସନ୍ ଚଳାଇଥିଲେ । ଏନକାଉଣ୍ଟରର ଚାରି ଦିନ ପରେ ଶୋପିଆନର ଏକ ଜଙ୍ଗଲ ଅଞ୍ଚଳରୁ ତାଙ୍କ ମୃତଦେହ ଠାବ କରାଯାଇଛି । ମୃତଦେହ ନିକଟରୁ ଏକ ଏକେ-୪୭ ରାଇଫଲ୍, ଗୁଳିଗୋଳା ଏବଂ ଅନ୍ୟାନ୍ୟ ଆତଙ୍କୀ ସାମଗ୍ରୀ ଜବତ ହୋଇଥିବା ସୁରକ୍ଷା ସଂସ୍ଥା ସୂଚନା ଦେଇଛି । ଘଟଣା ପରେ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

Share