ସମ୍ବଲପୁର:ରାଜ୍ୟରେ ବର୍ଷାର ପରିମାଣ କମୁଥିବା ବେଳେ ଉପରମୁଣ୍ଡରୁ ଆସୁଥିବା ପ୍ରବଳ ଜଳପ୍ରବାହ ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସକାଳ ୧୧ଟାରେ ହୀରାକୁଦ ବନ୍ଧର ୪ଟି ଗେଟ୍ ଖୋଲି ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ପ୍ରଥମ ପର୍ଯ୍ୟାୟରେ ପ୍ରତି ସେକେଣ୍ଡରେ ୧ ଲକ୍ଷ କ୍ୟୁସେକ ଜଳ ଛଡ଼ାଯିବାର ଯୋଜନା ରହିଛି। ସନ୍ଧ୍ୟା ସୁଦ୍ଧା ସ୍ଥିତିର ସମୀକ୍ଷା ପରେ ଆବଶ୍ୟକ ପଡ଼ିଲେ ଆଉ ୨ଟି ଗେଟ୍ ଖୋଲାଯିବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି।ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୧.୨୩ ଫୁଟ୍ ରହିଥିବା ବେଳେ ପ୍ରତି ସେକେଣ୍ଡରେ ୨ ଲକ୍ଷ ୬୨ ହଜାର କ୍ୟୁସେକ ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି।ଏହି ପରିସ୍ଥିତିକୁ ନଜରରେ ରଖି ମହାନଦୀରେ ବନ୍ୟା ନିୟନ୍ତ୍ରଣ ଓ ଜଳ ପରିଚାଳନା ନେଇ ହୀରାକୁଦରେ ଫ୍ଲଡ୍ କ୍ରାଇସିସ୍ ମ୍ୟାନେଜମେଣ୍ଟ ଟିମର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। କେନ୍ଦ୍ରୀୟ ଜଳ ଆୟୋଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ବରିଷ୍ଠ ଯନ୍ତ୍ରୀମାନେ ଯୋଗ ଦେଇଛନ୍ତି।
ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୌଣସି ବନ୍ୟା ଆଶଙ୍କା ନଥିବା ସର୍ବୋଚ୍ଚ ଯନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଏପଟେ ମୁଣ୍ଡଳୀଠାରେ ବର୍ତ୍ତମାନ ୪ ଲକ୍ଷ ୮୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବା ସୂଚନା ମିଳିଛି।

