E49c8d83 90c3 421e 88af bf7dfd3e88b3 750x430

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅର୍ନ୍ତଗତ ଦୁଆରଶୁଣୀ ଘାଟିରେ ଭୋର ସମୟରେ ଏକ ଗୋରୁ ବୋଝେଇ କଣ୍ଟେନର (ଡବ୍ଲ୍ୟୁ୧୧ଡି ୩୭୨୪) ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଦୁର୍ଘଟଣା ଘଟିବାର ୧୧ ଘଣ୍ଟା ପରେ ମଧ୍ୟ କଣ୍ଟେନରରୁ ପ୍ରଶାସନ ଉଦ୍ଧାର କରିପାରି ନଥିବାରୁ ଅଣନିଃଶ୍ବାସୀ ହୋଇ ଗୋରୁ ଗୁଡ଼ିକ ମରିଯାଇଥିଲେ। ୪୫ରୁ ଊର୍ଦ୍ଧ୍ବ ଗୋରୁ ମୃତ୍ୟୁ ବରଣ କରିଥିବା ବେଳେ ୩୦ଟି ଗୁରୁତର ହୋଇ ଥିଲେ। କିଛି ଗୋରୁ ଦୁର୍ଘଟଣା ପରେ ଲୋକ ମାନେ ନେଇ ଯାଇଥିଲେ। ତେଣୁ କଣ୍ଟେନରରେ କେତେ ଗୋରୁ ଆସିଥିଲା ଜଣାପଡି ନାହିଁ । ବରଗଡରୁ କୋଲକାତା ଯାଉଥିଲା ବୋଲି ପୁଲିସ ସଂଦେହ କରିଛି। ଘଟଣା ସ୍ଥଳରେ ପୁଲିସ, ଦମକଳବାହିନୀ ସହିତ ଏକ କ୍ରେନର ବ୍ୟବସ୍ଥା ହୋଇଥିଲେ ମଧ୍ୟ ଗୋରୁମାନଙ୍କୁ ରାତି ସୁଦ୍ଧା ଉଦ୍ଧାର କରାଯାଇ ପାରି ନାହିଁ। ଖବର ପାଇ ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆହତ ଓ ଗୁରୁତର ଗୋରୁମାନଙ୍କୁ ପଶୁଡାକ୍ତର ସାହାଯ୍ୟରେ ସାଲାଇନ ଦିଆଯାଇଛି।
ଦୀର୍ଘ ଦିନ ହେଲା କିଛି ଅସାଧୁ ବ୍ୟବସାୟୀ ଓ ପ୍ରଶାସନରର ସଲାସୁତରାରେ ଗୋରୁ ବେପାର ଚାଲିଛି ବୋଲି ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲେ ମଧ୍ୟ ପୁଲିସ ମାନିବା ପାଇଁ ନାରାଜ ଥିଲା। ସପ୍ତାହରେ ପାଞ୍ଚ ଦିନ ରାତି ହେଲେ ପିକ୍‌ଅପ୍‌, କଣ୍ଟେନର, ବୋଲେରୋ, ସ୍କର୍ପିଓରେ ଗୋରୁ ଚାଲାଣ ହେଉଛି। ପୂର୍ବତନ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ଗୋରୁ ଗାଡ଼ି ଧରିବାକୁ ସତନ୍ତ୍ର ପୁଲିସ ପୋଷ୍ଟ ଝାରପୋଖରିଆରେ ଦେବା ସହିତ ରାତ୍ରିକାଳୀନ ପାଟ୍ରୋଲିଙ୍ଗକୁ କଡ଼ା କଡ଼ି କରିଥିଲେ। ଫଳରେ ବିଭିନ୍ନ ସମୟରେ ପୁଲିସକୁ ସଫଳତା ମିଳିଥିଲା। କିଛି ଦିନ ପୂର୍ବରୁ ଗୋ ମାଂସ ବହଳଦା ବଜାରରେ ପଡ଼ିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜନା ସୃଷ୍ଟି ହୋଇଥିଲା। ଗୋରୁ ବେପାରୀଙ୍କ ଦୈରାତ୍ମ ବଢୁଥିବାରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଦୃଷ୍ଟି ଦେବା ପାଇଁ ବଜରଙ୍ଗ ଦଳ ଦାବି କରିଛି। ରାତି ହୋଇ ଥିଲେ ମଧ୍ୟ ଘଟଣାସ୍ଥଳରେ ବିଶ୍ବହିନ୍ଦୁ ପରିଷଦ, ବଜରଂଗ ଦଳର ପ୍ରାନ୍ତ ସତସଙ୍ଗ ପ୍ରମୁଖ ହରିହର ତ୍ରିପାଠୀ, ବାରିପଦା ଜିଲ୍ଲା ସଭାପତି ଅଜୟ ପାଲ, ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ଆଚାର୍ଯ୍ୟ, ବଜରଂଗ ପ୍ରମୁଖ ବିଶ୍ବଜିତ ରଣା, ନଗର ସମ୍ପାଦକ ଜତିନ୍ଦ୍ର ମହାପାତ୍ର, ଅମିତ ନାଏକ, ତପନ ଦାସ, ରାକେଶ ମଣ୍ଡଳ, ତାପସ କୁମାର ଗିରି, ରାଜେଶ କୁମାର ଗିରି, ବୃହସ୍ପତି ଗିରି, ଚିଣ୍ଟୁ ନାଏକ, ରାକେଶ କୁମାର ଗିରି, ରହିତ କୁମାର ଗିରି ଜଗି ରହିଛନ୍ତି। ମୃତ ଗୋରୁ ମାନଙ୍କ ର ସତ୍କାର ସହିତ ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ବାଙ୍ଗିରିପୋଷି ଥାନା ଅଧିକାରୀ ଙ୍କୁ ଦାବି କରିଛନ୍ତି।

Share