68729d6c 16be 42d1 a08b 6175ec17943a 750x430

ଅସ୍ତରଙ୍ଗ: ଅଲିଭ୍ ରିଡଲେ କଇଁଛଙ୍କ ସୂରକ୍ଷା ନିମନ୍ତେ ବୁଧବାର ଠାରୁ ସମୁଦ୍ରରେ ମତ୍ସଜୀବୀଙ୍କ ପାଇଁ କଟକଣା ଲାଗୁ ହୋଇଥିବା ବେଳେ ଆଜି ୨ୟ ଦିନରେ (ଗୁରୁବାର) ନିଷିଦ୍ଧାଞ୍ଚଳରୁ ଅସ୍ତରଙ୍ଗ ବନବିଭାଗ ଟିମ୍ ଦ୍ୱାରା ସାଥି ମଙ୍ଗଳା ନାମକ ଏକ ମାଛଧରା ଟ୍ରଲର ଜବତ ହୋଇଛି। ଜବତ ଟ୍ରଲର(ଆଇଏନ୍‌ଡି-ଓଆର-୦୧-ଏମ୍ଏମ୍‌-୧୦୭୫) ଓ ମାଛ ଧରିବାକୁ ଟ୍ରଲରରେ ନିୟୋଜିତ ହୋଇଥିବା ୧୫ଜଣ ମତ୍ସ୍ୟଜୀବୀ ଅଟକ ରହିଛନ୍ତି। ଜବତ ଟ୍ରଲରକୁ ନୂଆଗନସ୍ଥିତ ଜେଟୀକୁ ଆଣି ସ୍ଥାନୀୟ ସାମୁଦ୍ରିକ ମତ୍ସ୍ୟବିଭାଗକୁ ହସ୍ତାନ୍ତର କରାଯାଇଛି।
ସୂଚନାଯୋଗ୍ୟ ଯେ ଅଲିଭ୍ ରିଡଲେ କଇଁଛଙ୍କ ସୂରକ୍ଷା ନିମନ୍ତେ ୧ ନମ୍ୱଭେମ୍ବରରୁ ୩୧ ମଇ ପର୍ଯ୍ୟନ୍ତ କଟକଣା ଲାଗିଛି। ସମୁଦ୍ର କୂଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଜଳପଥକୁ ନିଷିଦ୍ଧାଞ୍ଚଳ ଘୋଷଣା କରି ବୋଟ୍ ଚଳାଚଳ, ଯନ୍ତ୍ରଚାଳିତ ଡଙ୍ଗା ଓ ରିଂ ଜାଲ ବ୍ୟବହାର କରି ମାଛ ଧରିବା ଉପରେ ରୋକ୍ ଲାଗିଛି। ଏହି ସମୟ ମଧ୍ୟରେ ବନବିଭାଗ ଓ ସ୍ଥାନୀୟ ସାମୁଦ୍ରିକ ମତ୍ସ୍ୟବିଭାଗ ମିଳିତ ଆନୁକୂଲ୍ୟରେ ନିଷିଦ୍ଧାଞ୍ଚଳରେ ପାଟ୍ରୋଲିଂ ଆରମ୍ଭ ହୋଇଛି। ବୁଧବାର ଏକ ଟ୍ରଲର ଜବତ ହୋଇଥିଲା ବେଳେ ଆଜି ନଡିଆଖିଆ କୂଳରୁ ଆଉ ଏକ ଟ୍ରଲରକୁ ଜବତ କରିଛି। ବାଲେଶ୍ୱର ଅଞ୍ଚଳର ଏହି ଟ୍ରଲର ନିଷିଦ୍ଧାଞ୍ଚଳରେ ପ୍ରବେଶ କରି ମାଛ ଧରୁଥିଲା ବେଳେ ପାଟ୍ରୋଲିଂ ଟିମ୍‌ ଏହାକୁ କାବୁ କରିଥିଲେ। ଜବତ ଟ୍ରଲରକୁ ଆଣି ସ୍ଥାନୀୟ ସାମୁଦ୍ରିକ ମତ୍ସ୍ୟବିଭାଗକୁ ହସ୍ତାନ୍ତର କରିବା ସହ ଟ୍ରଲରରେ ଥିବା ମୋଟ୍ ୧୫ ଜଣ କର୍ମଚାରୀ ଅଟକ ରଖାଯାଇଛି। ଜିଲ୍ଲା ମତ୍ସ୍ୟବିଭାଗ ଅଧିକାରୀ ପହଞ୍ଚିବା ପରେ ମାଛ ନିଲାମ କରି ଫାଇନ୍ କଟାଯିବ।
ତେବେ ଟ୍ରଲରରେ ଥିବା ଜବତ ମାଛର ପରିମାଣ ସମ୍ପର୍କରେ ଖବର ଲେଖା ହେବା ପର୍ଯ୍ୟନ୍ତ ତଥ୍ୟ ମିଳିପାରି ନାହିଁ। ବନବିଭାଗ ଏହି ପାଟ୍ରୋଲିଂ ଟିମରେ ଫରେଷ୍ଟର ବିରଜା ମହାପାତ୍ର, ତପନ ନାୟକ, ଫରେଷ୍ଟ ଗାର୍ଡ ଅଭିନାଶ ଖୁଣ୍ଟିଆ, ନିର୍ମଳ ପ୍ରଧାନ ସମେତ ତଟରକ୍ଷୀ ବାହିନୀର କର୍ମଚାରୀ ସାମିଲ୍ ହୋଇଥିଲେ।

Share