75c58e3d b7be 4b07 9bd4 33839eeff916 768x512

ଭୁବନେଶ୍ଵର: ଆନ୍ତର୍ଜାତୀୟ ସହଯୋଗ ତଥା ଅର୍ଥନୈତିକ ଅଭିବୃଦ୍ଧି ବଢାଇବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ଓଡିଶା ସରକାର । ଭିଏତନାମ ଭିନ୍ ଲଙ୍ଗ ପ୍ରଦେଶର ୨୨ଜଣିଆ ପ୍ରତିନିଧୀ ଦଳ ଓଡିଶା ଗସ୍ତରେ ଆସି ବୟନଶିଳ୍ପ, କୃଷି, ଇଞ୍ଜିନିୟରିଂ, ରାସାୟନିକ ପଦାର୍ଥ, ପ୍ଲାଷ୍ଟିକ୍ ଇତ୍ୟାଦି ବ୍ୟବସାୟରେ ପୁଞ୍ଜି ବିନିଯୋଗର ସୁଯୋଗ ବିଷୟରେ ଅନୁସନ୍ଧାନ କରିଛନ୍ତି ।  ଏ ନେଇ ଭୁବନେଶ୍ୱରର ୱେଲକମ୍ ହୋଟେଲ ଆଇଟିସିରେ ଭିଏତନାମର ପ୍ରତିନିଧୀ ଏବଂ ଓଡିଶା ସରକାରଙ୍କ ଅଧିକାରୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଯାଇଛି ।

ଭିଏତନାମୀ ପ୍ରତିନିଧୀଦଳର ପ୍ରାଥମିକ ଉଦ୍ଦେଶ୍ୟ ଥିଲା ଉଦ୍ୟୋଗ ଗଠନ ଏବଂ ଅର୍ଥନୈତିକ ପୁଞ୍ଜି ବିନିଯୋଗର ସୁଯୋଗ ଚିହ୍ନଟ କରିବା ସହ ବାଣିଜ୍ୟ ଏବଂ ନିବେଶକୁ ପ୍ରୋତ୍ସାହିତ କରିବା । ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ ସେବା, ତାଲିମ, ଆଇଟି, ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗର ବିକାଶ ଉପରେ ବିଶେଷ ଭାବେ ଧ୍ୟାନ ଦେବା । ମଧ୍ୟମ ଏବଂ ଉଚ୍ଚ ପ୍ରଯୁକ୍ତିବିଦ୍ୟାର ପ୍ରମୁଖ ସ୍ଥଳ ଭାବରେ ଭିଏତନାମ୍ ରେ ଭିନ୍ ଲଙ୍ଗ୍ ପ୍ରଦେଶର ମାନ୍ୟତା ରହିଛି । ଏବେ ପାରସ୍ପରିକ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଓଡିଶାରେ ଥିବା ସୁଯୋଗ ସବୁକୁ ଉପଯୋଗ କରିବାକୁ ଚେଷ୍ଟା କରିଛି ଭିଏତନାମ୍ | ଦ୍ୱିପାକ୍ଷିକ ବାଣିଜ୍ୟ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ସହ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗକୁ ରାଜ୍ୟ ପ୍ରତି ଆକର୍ଷିତ କରିବା ପାଇଁ ଏହି ପ୍ରତିନିଧୀ ଦଳ ବିଭିନ୍ନ ଲାଭଜନକ କ୍ଷେତ୍ର ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି ।

ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ମୁଖ୍ୟ ସଚିବ ଶ୍ରୀ ହେମନ୍ତ ଶର୍ମା ବିନ୍ ଲଙ୍ଗ ପ୍ରଦେଶ ପ୍ରତିନିଧି ଦଳକୁ ସ୍ୱାଗତ କରିଥିଲେ। ଓଡିଶାର ଶିଳ୍ପ ଇକୋସିଷ୍ଟମ ଉପରେ ଏକ ବିସ୍ତୃତ ବିବରଣୀ ଉପସ୍ଥାପନା କରିଥିଲେ। ଏଥିସହ ସେ ରାଜ୍ୟର ଶକ୍ତି, ସହଯୋଗ ପାଇଁ ସମ୍ଭାବ୍ୟ କ୍ଷେତ୍ର ଏବଂ ପୁଞ୍ଜି ବିନିଯୋଗ ଏବଂ ବ୍ୟବସାୟ ବିକାଶ ପାଇଁ ଅନୁକୂଳ ପରିବେଶ ଉପରେ ଆଲୋକପାତ କରିଥିଲେ । କେନ୍ଦ୍ରୀୟ ଷ୍ଟାଣ୍ଡିଂ କମିଟିର ସଦସ୍ୟ ତଥା ଭିଏତନାମର ପ୍ରାଦେଶିକ ପାର୍ଟି କମିଟିର ଗଣ ଜାଗୃତି ବିଭାଗର  ଉପସଭାପତି ନଗୁଏନ୍ ଥି ମିନି ହାନ୍ ବିଶେଷ ଭାବରେ ସମ୍ବୋଧନ କରିଥିଲେ। ଓଡିଶା ଗସ୍ତରେ ତାଙ୍କର ଅନୁଭୁତି, ମୁଖ୍ୟ ଉଦ୍ୟେଶ୍ୟ ତଥା ଭିନ୍ ଲଙ୍ଗ୍ ପ୍ରଦେଶ ପ୍ରତିନିଧୀଙ୍କ ଲକ୍ଷ୍ୟ ଏବଂ ନିବେଶର ସୁଯୋଗ ଉପରେ ଏକ ବକ୍ତବ୍ୟ ପ୍ରଦାନ କରିଥିଲା |

ଏହି ଉତ୍ସବରେ ଓଡିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଉପସ୍ଥିତି କାର୍ଯ୍ୟକ୍ରମର ଗାରିମା ବୃଦ୍ଧିକରିଥିଲା । ଏହାପୂର୍ବରୁ ସେ ପ୍ରତିନିଧୀଙ୍କୁ ଭେଟି ବିପର୍ଯ୍ୟୟ ପରିଚାଳନା, କୃଷି ଏବଂ ପରିବର୍ତ୍ତନଶୀଳ ସ୍ୱାସ୍ଥ୍ୟ ବ୍ୟବସ୍ଥା କ୍ଷେତ୍ରରେ ଓଡିଶାସରକାରଙ୍କ ଦ୍ୱାରା କରାଯାଇଥିବା ଦ୍ରୁତ ପ୍ରଗତି ସଂପର୍କରେ ଆଲୋଚନା କରିଥିଲେ । ଏ ଅବସରରେ ମାନ୍ୟବର ଶିଳ୍ପ, ଏମଏସଏମଇ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଯୋଗଦେଇଥିଲେ।  ଶିଳ୍ପ କ୍ଷେତ୍ରରେ ଓଡିଶାର ପ୍ରଗତୀ ଓ ସହଜରେ ଉପଲବ୍ଧ ସୁଯୋଗ ଉପରେ ଆଲୋକପାତ କରିଥିଲେ । ଓଡ଼ିଶାରେ ନିବେଶକ ମାନଙ୍କୁ ଆକର୍ଷିତ କରିବା ପାଇଁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ଉପରେ ଗୁରୁତ୍ୱ ଦେଇ ଓଡ଼ିଶାରେ ପୁଞ୍ଜି ବିନିଯୋଗ ଏବଂ ଅଭିବୃଦ୍ଧିର ସମ୍ଭାବନାକୁ ଦର୍ଶାଇଥିଲେ। ପରିଶେଷରେ ଇଡ୍ କୋ ଓ ଇପିକଲ୍ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୁପେନ୍ଦ୍ର ସିଂ ପୁନିୟା ଉପସ୍ଥିତ ଥିବା ଅତିଥି ମାନଙ୍କ ସହ  ଭିନ୍ ଲଙ୍ଗ ପ୍ରଦେଶର ପ୍ରତିନିଧୀଙ୍କୁ ଧନ୍ୟବାଦ ଜଣାଇଥିଲେ।

Share