କୁଲ୍ଲୁ: ଗୁରୁବାର ସନ୍ଧ୍ୟା ବେଳେ ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲା ଅନ୍ତର୍ଗତ ପାର୍ବତୀ ଉପତ୍ୟକାରୁ ୨ଜଣ ରୁଷୀୟ ପର୍ଯ୍ୟଟକଙ୍କ ଶବ ଉଦ୍ଧାର କରାଯାଇଥିବା କଥା ପୁଲିସ ଶୁକ୍ରବାର ଦିନ କହିଛି।
ମଣିକର୍ଣ୍ଣଠାରୁ ୨ କିଲୋମିଟର୍‌ ଦୂର ତେଗ୍ରିରେ ଥିବା ଉଷ୍ଣପ୍ରସ୍ରବଣରେ ୩୭ ବର୍ଷିୟ ବେଲେତ୍‌ସ୍କି ମାକ୍‌ସିମ୍‌ ଓ ୨୧ ବର୍ଷୀୟ ରାନ୍ତେସେଭା ଆନ୍ନାଙ୍କ ଶବ ଭାସୁଥିବା ପୁଲିସ ଦେଖିଥିଲା।
ମାକ୍‌ସିମ୍‌ଙ୍କ ମଣିବନ୍ଧ ଓ ମୁ‌ହଁରେ କଟା ଦାଗ ଥିଲା ଏବଂ ଉଭୟଙ୍କ ଶବ ଫୁଲି ଯାଇଥିଲା। ସେମାନଙ୍କ ମୋବାଇଲ୍‌ ‌ଫୋନ୍‌ ଓ ପାସ୍‌ପୋର୍ଟ ପାଖରେ ପଡ଼ିଥିଲା ବୋଲି ପୁଲିସ କହିଛି।
ଏହାଛଡ଼ା, ଆନ୍ନାଙ୍କଦ୍ବାରା ଲିଖିତ ବୋଲି ମନେ ହେଉଥିବା ଏକ ‘ନୋଟ୍‌’ (ଚିଟାଉ) ମଧ୍ୟ ପୁଲିସ ଉଦ୍ଧାର କରିଛି। ସେଥିରେ ଉଲ୍ଲେଖ ଅଛି ଦୂତାବାସ ଜରିଆରେ ତାଙ୍କର ଫୋନ୍‌ ରୁଷ୍‌ରେ ଥିବା ତାଙ୍କ ପରିବାର ଲୋକଙ୍କ ନିକଟକୁ ପଠାଇ ଦିଆଯିବା ଉଚିତ। ୨ଜଣ ଆତ୍ମହତ୍ୟା କରି ମରିଛନ୍ତି କିଂବା ଅନ୍ୟ କୌଣସି କାରଣରୁ ମରିଛନ୍ତି, ତାହା ପୁଲିସ ତଦନ୍ତ କରୁଛି।
ଘଟଣାସ୍ଥଳରୁ ମିଳିଥିବା ଆଉ ଖଣ୍ଡେ ‘ନୋଟ୍‌’ରେ ଅନୁରୋଧ କରାଯାଇଛି ଯେ, ଦୁହିଁଙ୍କର ଜିନିଷପତ୍ର ରୁଷୀୟ ଦୂତାବାସକୁ ପଠାଇ ଦିଆଯାଉ।
ପୁଲିସ କହିଛି, ପ୍ରଥମେ ଆମର ‌ମନେ ହୋଇଥିଲା ଏଇଟା ‘ଡବଲ୍‌ ମର୍ଡର୍‌’ ମାମଲା। କିନ୍ତୁ, ‘ନୋଟ୍‌’ ଦୁଇଟି ପାଇବା ପରେ ଏହା ଆତ୍ମହତ୍ୟା ଘଟଣା କି, ନୁହେଁ, ତଦନ୍ତ କରୁଛୁ। ଏହା ମାତ୍ରାଧିକ ଡ୍ରଗ୍‌ ସେବନର ପରିଣାମ ବି ହୋଇପାରେ। ତେଣୁ, ଆମେ ସବୁ ଦିଗରୁ ତଦନ୍ତ କରୁଛୁ।
ବ୍ୟବଚ୍ଛେଦ ନିମନ୍ତେ ଶବ ଦୁଇଟିକୁ ସରକାରୀ ଜୋନାଲ୍‌ ହସ୍ପିଟାଲ୍‌କୁ ପଠାଇ ଦିଆଯାଇଛି। କୁଲ୍ଲୁ ‘ଏଏସ୍‌ପି’ ସଞ୍ଜୀବ ଚୌହାନ କହିଛନ୍ତି, ମୃତ୍ୟୁ ସଂକ୍ରାନ୍ତରେ ରୁଷୀୟ ଦୂତାବାସକୁ ସୂଚନା ଦିଆଯାଇଛି। ଆମେ ପ୍ରମାଣ ସଂଗ୍ରହ କରୁଛୁ। ଘଟଣାସ୍ଥଳକୁ ଫୋରେନ୍‌ସିକ୍‌ ଟିମ୍‌ ଡକାଯାଇଛି। ଖୁବ୍‌ ଶୀଘ୍ର ଘଟଣାର ରହସ୍ୟ ଜଣାପଡ଼ିବ।

Share