IMAGE

ମାଇକ୍ରୋସଫ୍ଟରେ ଯୋଗ ଦେଲେ ଚାଟ୍‌ ଜିପିଟିର ପୂର୍ବତନ ସିଇଓ ସାମ୍‌ ଅଲ୍ଟମ୍ୟାନ୍‌। ଚାଟ୍‌ ଜିପିଟିରୁ ବହିଷ୍କୃତ ହେବାପରେ ତାଙ୍କ ଭବିଷ୍ୟତକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଥିଲା। ସେ ପୁଣି ଥରେ ଓପନ୍‌ ଏଆଇକୁ ଫେରିବା ନେଇ ମଧ୍ୟ ଆଶଙ୍କା କରାଯାଉଥିଲା। କିନ୍ତୁ ଏବେ ସବୁ କଳ୍ପନାଜଳ୍ପନା ଉପରେ ପୂର୍ଣ୍ଣଛେଦ ପକାଇ ସେ ମାଇକ୍ରୋସଫ୍ଟରେ ଯୋଗ ଦେଇଛନ୍ତି। ଏ ନେଇ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା ଘୋଷଣା କରିଛନ୍ତି।

ସାମ୍‌ ଅଲ୍ଟମ୍ୟାନ୍‌ଙ୍କ ସମେତ ଓପନ୍‌ ଏଆଇର ସଭାପତି ଗ୍ରେଗ୍ ବ୍ରୁକ୍‌ମ୍ୟାନ୍‌ ମଧ୍ୟ ମାଇକ୍ରୋସଫ୍ଟରେ ଯୋଗ ଦେଇଛନ୍ତି। ଏ ଦୁହେଁ ମିଶି ଏକ ଆଡଭାନ୍ସ ଏଆଇ ରିସର୍ଚ୍ଚ ଟିମ୍‌ର ନେତୃତ୍ୱ ନେବେ ବୋଲି ସତ୍ୟ ନାଡେଲା ସୋଶାଲ ମିଡିଆରେ ଏକ ପୋଷ୍ଟ ସେଆର କରି କହିଛନ୍ତି।

ସତ୍ୟ ନାଡେଲା ଟ୍ୱିଟ୍‌ କରି କହିଛନ୍ତି, ଆମେ ଓପନ୍‌ ଏଆଇ ସହ ନିଜ ସହଭାଗିତା ପାଇଁ ପ୍ରତିବଦ୍ଧ ଅଛୁ। ଆମେ ଆମର ରୋଡ୍‌ମ୍ୟାପ୍‌, ମାଇକ୍ରୋସଫ୍ଟ ଇଗ୍ନାଇଟରେ ଆମେ ଯାହା ଘୋଷଣା କରିଛୁ ତାହା କରିଦେଖାଇବୁ। ଇନୋଭେଟିଭ୍‌ କାମ ଜାରି ରଖିବୁ। ଆମର ଦକ୍ଷତା ଏବଂ ଆମର ଗ୍ରାହକ ଓ ଅଂଶୀଦାରମାନଙ୍କୁ ସମର୍ଥନ ଜାରି ରଖିବାର ଆମେ ଦକ୍ଷତା ଉପରେ ବିଶ୍ୱାସ ରଖିଛୁ। ଆମେ ଏଆଇର ନୂଆ ନେତୃତ୍ୱ ଟିମ୍‌ ଜାଣିବା ଓ ତାଙ୍କ ସହ କାମ କରିବାକୁ ଉତ୍ସୁକ ଅଛୁ।

ସାମ୍‌ ଅଲ୍ଟମ୍ୟାନ୍‌ ଓ ଗ୍ରେଗ୍ ବ୍ରୁକମ୍ୟାନ୍‌ ନିଜ ସହକର୍ମୀଙ୍କ ସହ ଏକ ନୂଆ ଆଡଭାନ୍ସ ଏଆଇ ରିସର୍ଚ୍ଚ ଟିମ୍‌ର ନେତୃତ୍ୱ ନେବା ଲାଗି ମାଇକ୍ରୋସଫ୍ଟରେ ସାମିଲ ହୋଇଛନ୍ତି ବୋଲି ସତ୍ୟ ନାଡେଲା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଓପନ୍‌ଏଆଇରୁ ବିହିଷ୍କୃତ ହୋଇଥିଲେ ସାମ ଅଲ୍ଟମ୍ୟାନ୍। ଏହାପରେ ସେ ନିଜେ ନିଜ ପଦରୁ ଇସ୍ତଫା ଦେଇଥିଲେ। ପ୍ରାୟ ଏକ ବର୍ଷ ପୂର୍ବେ ଚାଟ୍‌ଜିପିଟିକୁ ୩୮ ବର୍ଷୀୟ ସାମ୍‌ ଅଲ୍ଟମ୍ୟାନ୍‌ ତିଆରି କରିଥିଲେ। ଚାଟ୍‌ଜିପିଟି ରିଲିଜ ହେବା ପରେ ସେ ଟେକ୍‌ନିକ୍‌ ଦୁନିଆରେ ହଇଚଇ ସୃଷ୍ଟି କରିଥିଲେ।

Share