ଜଳେଶ୍ୱର: ସବୁବେଳେ କୁହାଯାଏ ପ୍ରେମ ଶାଶ୍ୱତ, ଚିରନ୍ତନ, ପବିତ୍ର। ଦୁଇଟି ମନ ଓ ହୃଦୟର ମିଳନକୁ ହିଁ ତ ପ୍ରେମ କୁହାଯାଏ। ଏହା ଏକ ସ୍ୱତନ୍ତ୍ର ଭାବନା, ଯାହା ଦେଖେନି ଧନୀ ଗରିବ, ଗୋରା କଳା, ଡେଙ୍ଗାଗେଡ଼ା, ବୟସ ତାରତମ୍ୟ। ହେଲେ ଏକତରଫା ପ୍ରେମକୁ ଆପଣ କଣ କହିବେ । ତେବେ ପ୍ରାୟତଃ ସମୟରେ ଦେଖାଯାଇଛି ଏହି ଏକତରଫା ପ୍ରେମ ଭାରି ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ଏକତରଫା ପ୍ରେମରେ ପଡ଼ିଥିବା ବ୍ୟକ୍ତି ନିଜ ସାଥୀକୁ ପାଇବାକୁ କୌଣସି ବି ସ୍ତରକୁ ଖସିବାକୁ ପ୍ରସ୍ତୁତ ଥାଆନ୍ତି । ଠିକ୍ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି।
ପୁରା ଫିଲ୍ମ ଷ୍ଟାଇଲ୍ ରେ ଅପହରଣ ପାଇଁ ହୋଇଥିଲା ଷଡଯନ୍ତ୍ର। ବନ୍ଧୁକ ମୁନରେ ଛାତ୍ରୀଙ୍କୁ ଅପହରଣ ପାଇଁ ଉଦ୍ୟମ। ସ୍ପଷ୍ଟ ଦିବାଲୋକରେ ଏହି ଅପହରଣ ଉଦ୍ୟମ କରାଯାଇଛି ଯାହା ଫେଲ୍ ମାରିଛି । ଏକତରଫା ପ୍ରେମରୁ କେନ୍ଦ୍ର କରି ଜଣେ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ କରାଯାଇଥିବା ସୂଚନା ମିଳିଛି। ତେବେ ଅପହରଣ ଉଦ୍ୟମ ବେଳେ ଯୁବକ ଜଣଙ୍କୁ କାବୁ କରିନେଇଥିଲେ ସ୍ଥାନୀୟ ଲୋକେ । କାବୁ କରି ପୋଲିସର ଜିମା ଦେଇଥିଲେ । ତେବେ ଯୁବକଙ୍କ ନିକଟରୁ ଏକ ବନ୍ଧୁକ ଜବତ ହୋଇଛି । ବାଲେଶ୍ୱର କମର୍ଦା ଥାନା ପୀର ପଡ଼ିଆରେ ଘଟିଛି ଏହି ଘଟଣା ।
କେତେବେଳେ ପରୀକ୍ଷା କେନ୍ଦ୍ର ବାହାରୁ ଛାତ୍ରୀଙ୍କୁ ଅପହରଣ ତ କେତେବେଳେ କଲେଜ ଆଗରୁ ଛାତ୍ରୀଙ୍କୁ ଉଠାଇନେଲେ ଏମିତି ଅନେକ ଖବର ପ୍ରତିଦିନ ଆମେ ଶୁଣିବାକୁ ପାଉଛେ । କିନ୍ତୁ ଏଭଳି ଅପରାଧ କମିବ କଣ ଦିନ ଦିନ ବଢିବାରେ ଲାଗିଛି । ତେବେ ଆଜିର ଏ ଘଟଣାରେ ବନ୍ଧୁକ ଧାରୀ ଯୁବକ ଜଣଙ୍କୁ ଠିକ୍ ସମୟରେ କାବୁ କରାଯାଇଥିବାରୁ ଏହା ଏକ ବଡ ଅପରାଧକୁ ଏଡାଇ ଦେଇଛି କହିଲେ ଭୁଲ୍ ହେବନି ।

