Ravi uppal 1702436297

ମହାଦେବ ବେଟିଂ ଆପ୍‌ର ଅନ୍ୟତମ ମାଷ୍ଟର ମାଇଣ୍ଡ ରବି ଉପ୍ପଲ ଦୁବାଇ ପୁଲିସ୍‌ ହାବୁଡ଼ରେ ପଡ଼ିଛନ୍ତି। ଭାରତରେ ଇଡି ଏହି ଆପ୍‌କୁ ନେଇ ଖୋଳତାଡ଼ କରୁଥିବା ବେଳେ ଏହାର ମାଲିକଙ୍କ ଅନ୍ୟତମ ସହଯୋଗୀ ରବି ଉପ୍ପଲ ଦୁବାଇରୁ ଧରା ପଡ଼ିଛନ୍ତି। ରବିଙ୍କୁ ଧରିବାକୁ ଇଡିର ଅନୁରୋଧ କ୍ରମେ ଇଣ୍ଟରପୋଲ ଦ୍ୱାରା ରେଡ ନୋଟିସ ଜାରି କରାଯାଇଥିଲା। ଏହାପରେ ଦୁବାଇ ପୁଲିସ୍‌ ରବିଙ୍କୁ ଗତ ସପ୍ତାହରେ ବାନ୍ଧିଥିବା ଜଣାଯାଇଛି। ତାଙ୍କୁ ଭାରତ ଆଣିବାକୁ ପ୍ରୟାସ ଆରମ୍ଭ ହୋଇଛି।

ରବି ଉପ୍ପଲଙ୍କ ବିରୋଧରେ ଛତିଶଗଡ଼ ଓ ମୁମ୍ବାଇ ପୁଲିସ୍‌ ଯାଞ୍ଚ ଚଳାଇଛି। ମହାଦେବ ବେଟିଂ ଆପ୍‌କୁ ନେଇ ଇଡି ଖୋଳତାଡ଼ ଜାରି ରଖିଛି। ରବି ଏହି ଆପରର ମୁଖ୍ୟ ଅଭିଯୁକ୍ତ ସୌରଭ ଚନ୍ଦ୍ରାକରଙ୍କ ସହଯୋଗୀ ବୋଲି ଜଣାଯାଇଛି।

ମହାଦେବ ଆପ୍‌କୁ ଭାରତରେ ବ୍ୟାନ୍‌ କରାଯାଇଥିବା ବେଳେ ଅନ୍ୟ ଦେଶମାନଙ୍କରେ ଏବେ ବି ତାହା କାର୍ଯ୍ୟକ୍ଷମ ଅଛି। ଛତିଶଗଡ଼ ନିବାସୀ ଚନ୍ଦ୍ରାକର ଓ ତାଙ୍କ ସହଯୋଗୀ ଏହି ଆପ୍‌ ପଛର ମାଷ୍ଟର ମାଇଣ୍ଡ । ଉଭୟଙ୍କ ବିରୋଧରେ ଲୁକ୍‌ ଆଉଟ ନୋଟିସ୍‌ ଜାରି କରାଯାଇଥିଲା।

ଛତିଶଗଡ଼ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମହାଦେବ ବୁକ୍ ବେଟିଂ ଆପ୍‌କୁ ବ୍ୟାନ୍‌ କରି ଦିଆଯାଇଥିଲା। ଇଡିର ଅନୁରୋଧ କ୍ରମେ କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରାଳୟ ପକ୍ଷରୁ ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହି ବେଟିଂ ଆପ୍ ମାମଲାରେ ମୁମ୍ବାଇ, କୋଲକାତା, ଭୋପାଳ ସମେତ ୩୯ଟି ସ୍ଥାନରେ ଚଢ଼ାଉ କରି ୪ଶହ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି। ଏଥିସହ ବହୁ ବଲିଉଡ୍ ସେଲିବ୍ରିଟିଙ୍କୁ ବି ପଚରାଉଚରା କରାଯାଇଛି ।

ମହାଦେବ ବେଟିଂ ଆପ୍‌ ମାଲିକ ସୌରଭ ଚନ୍ଦ୍ରାକର ପ୍ରଥମେ ରାୟପୁରରେ ଏକ ଜୁସ୍‌ ସେଣ୍ଟର ଚଲାଉଥିଲେ। ଏହାପର ସେ ବେଟିଂ ଦୁନିଆରେ ସାମିଲ ହେଲେ। ଉଭୟ ସୌରଭ ଓ ରବିଙ୍କ ନିକଟରେ ୬ ହଜାର କୋଟିରୁ ଅଧିକ ଟଙ୍କା ଥିବା ଅନୁମାନ କରାଯାଉଛି। ବହୁ ଟଙ୍କା ଦୁବାଇ ପଠାଇ ଦିଆଯାଇଥିବା ଅନୁମାନ କରାଯାଉଛି। ଦୁବାଇରେ ଏହା ପଛରେ ଦାଉଦ ଗ୍ୟାଙ୍ଗ ଥିବା ଅନୁମାନ କରାଯାଉଛି।

Share