ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା, ଟ୍ରାଫିକ୍ ପରିଚାଳନା, ଜରୁରୀକାଳୀନ ସେବା ଓ ଭିଡ଼ ନିୟନ୍ତ୍ରଣ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।
ଭୁବନେଶ୍ୱର:ରଥଯାତ୍ରାକୁ ସୁରକ୍ଷିତ ଓ ସୁଶୃଙ୍ଖଳ ଭାବେ ସମ୍ପନ୍ନ କରିବା ପାଇଁ ରାଜ୍ୟ ସରକାର ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ୧୯ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସେହିପରି ପ୍ରାୟ ୧୨ ହଜାର ପୋଲିସ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) କର୍ମଚାରୀଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି।ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରଥଯାତ୍ରା ସମୀକ୍ଷା ବୈଠକରେ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଓ ନୀତିକାନ୍ତିର ସମୟାନୁବର୍ତ୍ତିତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଭକ୍ତମାନଙ୍କ ସୁରକ୍ଷା ସହ ରଥଯାତ୍ରାର ପ୍ରତ୍ୟେକ ପର୍ଯ୍ୟାୟ ସୁଚାରୁ ଭାବେ ସମ୍ପନ୍ନ କରିବାକୁ ସମସ୍ତ ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି।
ସମୁଦ୍ର ଉପକୂଳ ସୁରକ୍ଷାକୁ ମଧ୍ୟ ଦୃଢ଼ କରାଯାଇଛି। ତଟରକ୍ଷୀ ବାହିନୀ ଓ ଭାରତୀୟ ନୌସେନା ସଜାଗ ରହି ସମୁଦ୍ର ମାର୍ଗରେ ନିରୀକ୍ଷଣ ଜାରି ରଖିବେ। ସେହିପରି ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ସୁନିଶ୍ଚିତ କରିବା ଓ କୌଣସି ପ୍ରକାର କମ୍ୟୁନିକେସନ ଗ୍ୟାପ ନ ରହିବା ଉପରେ ବିଶେଷ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

