ସୁରତ: ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟରେ ବିଶ୍ବର ବୃହତ୍ତମ ଅଫିସ୍ ଅଟ୍ଟାଳିକା ‘ସୁରତ ଡାଇମଣ୍ଡ୍ ବୁଅର୍ସ’ ଉଦ୍ଘାଟନ କରିଛନ୍ତି। ସୁରତ ନଗରୀ ନିକଟ ଖୋଜଡ଼ ଗ୍ରାମରେ ୬୭ ଲକ୍ଷ ବର୍ଗଫୁଟ୍ ଅଞ୍ଚଳ ପରିମିତ ଏହି ଅଟ୍ଟାଳିକା ଅବସ୍ଥିତ। ଏହା ହେବ ହୀରା ଓ ଅଳଙ୍କାର ବ୍ୟବସାୟ ଲାଗି ବିଶ୍ବର ବୃହତ୍ତମ ଆନ୍ତର୍ଜାତିକ କେନ୍ଦ୍ର। ଏଠାରେ ଉଭୟ ‘ରଫ୍’ (ଅକଟା) ଓ ‘ପଲିସ୍ଡ୍’ (କଟା) ହୀରା ବିକ୍ରୟ ହେବ। ବୁଅର୍ସ ହେବ ଆମଦାନି-ରପ୍ତାନି ଅତ୍ୟାଧୁନିକ ‘କଷ୍ଟମ୍ସ୍ କ୍ଲିଅରାନ୍ସ୍ ହାଉସ୍’, ଖାଉଟି ଅଳଙ୍କାର ବ୍ୟବସାୟ ଲାଗି ‘ଜୁଏଲାରି ମଲ୍’ ସହିତ ଆନ୍ତର୍ଜାତିକ ବ୍ୟାଙ୍କିଙ୍ଗ୍ ଓ ସେଫ୍ ଭଲଟ୍ସ୍ ସୁବିଧା ରହିବ।
ତେଣୁ, ବମ୍ବେ ସମେତ ଅନେକ ହୀରା ବ୍ୟବସାୟୀ ଏଠାରେ ଆଗୁଆ ସେମାନଙ୍କ ଅଫିସ ପାଇଁ ଘର ନେଇ ସାରିଲେଣି। ଏଥିପାଇଁ ନିଲାମ ଡକାଯାଇଥିଲା। ସୂଚନାଯୋଗ୍ୟ, ଚଳିତ ବର୍ଷ ଅଗଷ୍ଟ ମାସରେ ‘ଗିନିଜ୍ ୱାର୍ଲଡ୍ ରେକର୍ଡ’ ଏହି ଅଟ୍ଟାଳିକାକୁ ବିଶ୍ବର ବୃହତ୍ତମ ଅଟ୍ଟାଳିକା ମାନ୍ୟତା ଦେଇଥିଲା। ‘ସୁରତ ଡାଇମଣ୍ଡ୍ ବୁଅର୍ସ’ର ନିର୍ମାଣ କାର୍ଯ୍ୟ ୨୦୧୫ ଫେବ୍ରୁଆରିରେ ଆରମ୍ଭ ହୋଇ ୨୦୨୨ରେ ଶେଷ ହୋଇଥିଲା। ସେତେବେଳେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ୍ ପଟେଲ୍ ଏହାର ଶିଳାନ୍ୟାସ କରିଥିଲେ।
ଏହି ଅଟ୍ଟାଳିକା ନିର୍ମାଣ ଲାଗି ହାରାହାରି ୩,୫୦୦ କୋଟି ଟଙ୍କା ବ୍ୟୟ କରାଯାଇଛି। ଏଥିରେ ୪,୫୦୦ ହୀରା ବ୍ୟବସାୟ ଅଫିସ ଖୋଲିବ। ୩୫.୫୪ ଏକର ପ୍ଲଟ୍ରେ ନିର୍ମିତ ଏହି ୧୫ ମହଲାବିଶିଷ୍ଟ ଏହି ଅଟ୍ଟାଳିକାର ୯ଟି ଗ୍ରାଉଣ୍ଡ୍ ଟାୱାର୍ ରହିଛି। ଉଲ୍ଲେଖଯୋଗ୍ୟ, ସୁନା, ରୁପା, ତମ୍ବା, ଲୁହା ଓ ସୀସା ଆଦି ୫ ଧାତୁରେ ନିର୍ମିତ ଏହି ଅଟ୍ଟାଳିକାର ଏକ କ୍ଷୁଦ୍ର ପ୍ରତିରୂପ ଉପହାର ଭାବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦିଆଯାଇଛି। ଏହାକୁ ନିର୍ମାଣ କରିଛନ୍ତି, ‘ଫ୍ଲୋରା ଜୁଏଲ୍ସ୍ ପ୍ରାଇଭେଟ୍ ଲିମିଟେଡ୍’ର ମାଲିକ ଯତୀନ କାକାଡ଼ିୟା।

