IMAGE

ଥମୁନି ମଦ ମାଫିଆଙ୍କ ଗୁଣ୍ଡାରାଜ। ମଦମୁକ୍ତ ଆଇନ ଲାଗୁ ହୋଇଥିଲେ ମଧ୍ୟ ବିହାରରେ ଦିନକୁ ମଦ ମାଫିଆଙ୍କ ରାଜ ବଢ଼ିବାରେ ଲାଗିଛି। ସାଧାରଣ ଲୋକ ତ ଦୂରର କଥା ଏମାନେ ପୁଲିସକର୍ମୀଙ୍କୁ ମଧ୍ୟ ଛାଡୁନାହାନ୍ତି। ଚେକିଂ ବେଳେ ଧରାପଡିଯିବା ଭୟରେ ଏହି ମାଫିଆମାନେ ପୁଲିସ ଉପରକୁ ଗାଢ଼ି ଚାଢ଼ାଇ ସେମାନଙ୍କୁ ହତ୍ୟା କରୁଛନ୍ତି। ଠିକ୍‌ ଏପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି ବିହାରର ବେଗୁସରାୟ ଜିଲ୍ଲାରୁ।

ବେଗୁସରାୟ ଜିଲ୍ଲାର ନାବକୋଠି ଅଞ୍ଚଳରେ ଏକ ଅଲ୍ଟୋ କାର୍‌ରେ ବେଆଇନ ମଦ ଚାଲାଣ ହେଉଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଏହାପରେ ପୁଲିସ ଅଫିସର ଖମାସ ଚୌଧୁରୀ ବିଳମ୍ବିତ ରାତିରେ ଚେକିଂ ଆରମ୍ଭ କରିଥିଲେ। ସେ ଛତୌନା ବୁଢ଼ି ଗଣ୍ଡକ ନଦୀ ବ୍ରିଜ ଉପରେ ଅଲ୍ଟୋ କାର୍‌କୁ ଅଟକାଇବା ପାଇଁ ବିଚ୍‌ ରାସ୍ତାରେ ଠିଆ ହୋଇଥିଲେ। ତାଙ୍କ ସହ ଅନ୍ୟ ତିନି ଜଣ ହୋମଗାର୍ଡ ମଧ୍ୟ ଥିଲେ।

ତେବେ ଅଲ୍ଟୋ କାର୍‌ ଚଳାଉଥିବା ମଦ ମାଫିଆ ପୁଲିସ ଗାଡିକୁ ଦେଖି ନିଜ କାର୍‌ର ସ୍ପିଡ୍‌ ବଢ଼ାଇ ଦେଇଥିଲା। ରାସ୍ତା ଉପରେ ଠିଆ ହୋଇଥିବା ପୁଲିସ ଅଧିକାରୀ ଖମାସ ଚୌଧୁରୀ ଓ ଅନ୍ୟ ହୋମଗାର୍ଡଙ୍କ ଉପରେ କାର୍‌ ଚଢ଼ାଇ ଦେଇଥିଲା ଅଭିଯୁକ୍ତ। ଏଥିରେ ଘଟଣାସ୍ଥଳରେ ହିଁ ପୁଲିସ ଅଫିସରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ହୋମ୍‌ଗାର୍ଡ ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ମଦ ଚାଲାଣ ହେଉଥିବା ଅଲ୍ଟୋ ଗାଡି ମାଲିକକୁ ଗିରଫ କରି ପଚରାଉଚରା ଜାରି ରଖିଛି।

Share