ନୂଆଦିଲ୍ଲୀ: ଲୋକସଭାର ଆଉ ୩ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ଗୃହ ଅବମାନନା ଅଭିଯୋଗରେ ଲୋକସଭା ବାଚସ୍ପତି ଓମ ବିର୍ଲା କଂଗ୍ରେସ ସାଂସଦ ନକୁଳ ନାଥ, ଡିକେ ସୁରେଶ ଓ ଦୀପକ ବୈଜଙ୍କୁ ଚଳିତ ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରିଛନ୍ତି। ଏହାକୁ ମିଶାଇ ନିଲମ୍ବିତ ସାଂସଦଙ୍କ ସଂଖ୍ୟା ୧୪୬କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୧୦୦ ଜଣ ସାଂସଦ ଲୋକସଭାରୁ ଅଛନ୍ତି।
ଆଜି ପ୍ରଶ୍ନକାଳ ଶେଷ ହେବା ମାତ୍ରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ତିନି ସାଂସଦଙ୍କ ନାମ ନେଇ କହିଥିଲେ ଯେ ଆପଣ ବାରମ୍ବାର ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି, ପ୍ଲାକାର୍ଡ ଦେଖାଉଛନ୍ତି, ସ୍ଲୋଗାନ ଦେଉଛନ୍ତି ଓ କାଗଜପତ୍ର ଫାଡି ଲୋକସଭା କର୍ମଚାରୀଙ୍କ ଉପରକୁ ଫିଙ୍ଗୁଛନ୍ତି। ଏହା ଗୃହର ଶୃଙ୍ଖଳା ବିରୁଦ୍ଧରେ।
ବିନା କାରଣରେ ମୁଁ କୌଣସି ସଦସ୍ୟଙ୍କୁ ନିଲମ୍ବିତ କରିବାକୁ ଚାହେଁ ନାହିଁ। ଆପଣଙ୍କୁ ଜନତା ନିର୍ବାଚିତ କରିଛନ୍ତି। ଏଠାରେ ଆଲୋଚନା କରିବା ଏବଂ ନିଜ କଥା ପ୍ରକାଶ କରିବାର ଅଧିକାର ଆପଣଙ୍କର ଅଛି । … ତୁମେ ତୁମ ଆସନକୁ ଯାଅ, ମୁଁ ତୁମକୁ ଶୂନ୍ୟକାଳରେ କହିବାର ସୁଯୋଗ ଦେବି ।
ଗତ ଡିସେମ୍ବର ୧୪ ତାରିଖରେ ବିରୋଧୀ ସାଂସଦମାନେ ସଂସଦର ସୁରକ୍ଷା ଉଲ୍ଲଂଘନ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ ଦାବି କରିବା ପରେ ସାଂସଦମାନଙ୍କୁ ନିଲମ୍ବନ ଆରମ୍ଭ ହୋଇଥିଲା। ଗୃହ ଅବମାନନା ଅଭିଯୋଗରେ ଡିସେମ୍ବର ୧୪ରେ ୧୩ ସାଂସଦ, ଡିସେମ୍ବର ୧୮ରେ ୩୩ ସାଂସଦ, ଡିସେମ୍ବର ୧୯ରେ ୪୯ ସାଂସଦ ଏବଂ ଡିସେମ୍ବର ୨୦ରେ ୨ ଜଣ ବିରୋଧୀ ସାଂସଦ ଙ୍କୁ ନିଲମ୍ବିତ କରାଯାଇଥିଲା। ଡିସେମ୍ବର ୧୪ରେ ଜଣେ ରାଜ୍ୟସଭା ସାଂସଦ ଓ ଡିସେମ୍ବର ୧୮ରେ ୪୫ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା।