Bajranga 1703937442

ନୂଆଦିଲ୍ଲୀ : ଅଲିମ୍ପିକ୍ସରେ ଭାରତ ପାଇଁ ମେଡାଲ ଜିତିଥିବା ବଜରଙ୍ଗ ପୁନିଆ ତୁରନ୍ତ ଦେଶରେ ରେସଲିଂ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ କ୍ରୀଡ଼ା ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି। ବିଶେଷ କରି ଅଲିମ୍ପିକ୍ସକୁ ଆଉ ୭ ମାସ ସମୟ ଥିବାରୁ ସେ ଏପରି ନିବେଦନ କରିଛନ୍ତି। ପ୍ୟାରିସ ଅଲିମ୍ପିକ୍ସର ପ୍ରସ୍ତୁତି ପାଇଁ ବହୁତ କମ ସମୟ ବାକିଥିବାରୁ ଏଥିପାଇଁ କେହି ଚିନ୍ତିତ ଥିବା ଭଳି ଲାଗୁ ନଥିବା ମଧ୍ୟ ବଜରଙ୍ଗ କହିଛନ୍ତି। ଚଳିତ ବର୍ଷ ଆରମ୍ଭରୁ ରେସିଲିଂକୁ ନେଇ ବିବାଦ ଜାରି ରହିଛି। ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣି ଦେଶର ଷ୍ଟାର ରେସଲରମାନେ ବିକ୍ଷୋଭ କରିଥିଲେ। ଏହାକୁ ନେଇ ବେଶ କିଛି ମାସ ବିବାଦ ଚାଲିଥିଲା।
ଏହାପରେ କୁସ୍ତି ମହାସଂଘରେ ନିର୍ବାଚନ ହୋଇଥିଲା। ବିବାଦ ସତ୍ତ୍ୱେ ବ୍ରିଜ ଭୂଷଣଙ୍କ ସହଯୋଗୀ ବାଜିମାତ କରିଥିଲେ। ଏହାକୁ ବିରୋଧ କରି ଷ୍ଟାର ରେସଲର ସାକ୍ଷୀ ମଲିକ ରେସଲିଂରୁ ଅବସରଣ ଘୋଷଣା କରି ଦେଇଥିଲେ।
ବଜରଙ୍ଗ ପୁନିଆ ମଧ୍ୟ ପଦକ ଫେରାଇଥିଲେ। ଏସବୁ ବିବାଦ ଭିତରେ କ୍ରୀଡ଼ା ମନ୍ତ୍ରଣାଳୟ କୁସ୍ତି ମହାସଂଘର ନବନିର୍ବାଚିତ ସମସ୍ତ ସଦସ୍ୟଙ୍କୁ ନିଲମ୍ବିତ କରିଥିଲା। ତଥାପି ଦେଶରେ କୁସ୍ତି କାର୍ଯ୍ୟକ୍ରମ ହୋଇପାରି ନାହିଁ।
ଏସବୁ ଭିତରେ ବଜରଙ୍ଗ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟ ଏକ୍ସରେ ଗୋଟିଏ ପୋଷ୍ଟ କରିଛନ୍ତି। ସେ କହିଛନ୍ତି,“ବିଗତ କିଛି ମାସ ହେଲାଣି କୁସ୍ତି କାର୍ଯ୍ୟକ୍ରମ ବନ୍ଦ ହୋଇ ରହିଛି। ଦେଶରେ ନ୍ୟାଶନାଲ ଗେମ୍ସ ହେଉନାହିଁ।
ସେହିପରି ପିଲାଙ୍କୁ ପ୍ରସ୍ତୁତ କରିବା ପାଇଁ କ୍ୟାମ୍ପ ମଧ୍ୟ କରାଯାଇନି। ୭ ମାସ ପରେ ଅଲିମ୍ପିକ୍ସ। କିନ୍ତୁ କେହି ବି ଏଥିପାଇଁ ବ୍ୟସ୍ତ ନୁହନ୍ତି। ଗତ ୪ ଅଲିମ୍ପିକ୍ସରେ କୁସ୍ତି ହିଁ ୪ ପଦକ ଦେଇଥିଲା।
ଖେଳ ମନ୍ତ୍ରଣାଳୟକୁ ମୁଁ ଅନୁରୋଧ କରୁଛୁ ଯେ ଯଥାଶୀଘ୍ର କୁସ୍ତି କାର୍ଯ୍ୟକ୍ରମ ପାଇଁ ଆରମ୍ଭ କରନ୍ତୁ। ଏହାଦ୍ୱାରା ଭବିଷ୍ୟତର ରେସଲରମାନଙ୍କୁ ଫାଇଦା ମିଳିବ।”

Share