Image 1704003198

ରାତି ପାହିଲେ ନୂଆବର୍ଷ। ଏଥିପାଇଁ ଚାରିଆଡେ ଉତ୍ସବ ମୁଖର। ନୂଆବର୍ଷକୁ ପାଳନ କରିବା ପାଇଁ ଲୋକେ ବିଭିନ୍ନ ସ୍ଥାନରେ ମଜାମସ୍ତିରେ ମସଗୁଲ ଅଛନ୍ତି। ଏହାରି ଭିତରେ ନୂଆବର୍ଷ ବେଳେ ମିଳିଛି ବିସ୍ଫୋରଣ ଧମକ। ମୁମ୍ବାଇର କିଛି ସ୍ଥାନରେ ନୂଆବର୍ଷରେ ବିସ୍ଫରଣ ବୋଲି ଧମକ ମିଳିଛି। ଏହାପରେ ମାୟାନଗରୀରେ ହାଇଆଲର୍ଟ ଜାରି ହୋଇଛି।

ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ମୁମ୍ବାଇ ପୁଲିସ କଣ୍ଟ୍ରୋଲ ରୁମ୍‌କୁ କେହି ଜଣେ ଅଜ୍ଞାତ ବ୍ୟକ୍ତି ଫୋନ୍‌ କରି ନୂଆବର୍ଷରେ ବିସ୍ଫୋରଣ କରିବାକୁ ଧମକ ଦେଇଥିଲା। ଏହା କହି ବ୍ୟକ୍ତି ଜଣକ ଫୋନ୍‌ କାଟି ଦେଇଥିଲେ। ଏହା ପରେ ପୁଲିସ ଆଲର୍ଟ ମୁଡ୍‌କୁ ଆସିଛି। ବିଭିନ୍ନ ସ୍ଥାନରେ ଚେକିଂ ଜାରି ରହିବା ସହ ସୁରକ୍ଷା କଡ଼ାକଡି କରାଯାଇଛି।

ମୁମ୍ବାଇ ପୁଲିସର ଜଣେ ମୁଖପାତ୍ର କହିଛନ୍ତି, ଫୋନ୍‌ କଲ୍‌ ଆସିବା ପରେ ଅନେକ ସ୍ଥାନରେ ଯାଞ୍ଚ କରାଯାଇଛି। କିନ୍ତୁ, କୌଣସି ସନ୍ଦିଗ୍ଧ ଜନିଷ ମିଳି ନାହିଁ। ତେବେ କିଏ ଏହି ଫୋନ୍‌ କଲ୍ କରିଥିଲେ ସେ ନେଇ ସନ୍ଧାନ ଜାରି ରହିଛି। କେଉଁଠୁ ଏହି କଲ୍‌ ଆସିଥିବା ସେ ନେଇ କଲ୍‌ ରେକର୍ଡ ଯାଞ୍ଚ ଜାରି ରଖିଛି ପୁଲିସ।

ସେପଟେ ନବବର୍ଷ ପାଳନ ଅବସରରେ ମୁମ୍ବାଇ ପୁଲିସ ସମଗ୍ର ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରିଛି। କୌଣସି ଅପ୍ରୀତିକର ପରିସ୍ଥିତି ଘଟିଲେ ତା’ହାର ମୁକାବିଲା ନିମନ୍ତେ ‘ଷ୍ଟେଟ୍‌ ରିଜର୍ଭ ପୁଲିସ ଫୋର୍ସ’ ଓ ‘କୁଇକ୍‌ ରେସ୍‌ପନ୍‌ସ୍‌ ଟିମ୍‌ସ୍‌’ ସମେତ ୧୫,୦୦୦ରୁ ଅଧିକ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଗେଟ୍‌ୱେ ଅଫ୍‌ ଇଣ୍ଡିଆ, ମେରାଇନ୍‌ ଡ୍ରାଇଭ୍‌, ଦାଦର, ବାନ୍ଦ୍ରା ବସ୍‌ଷ୍ଟାଣ୍ଡ୍‌, ଜୁହୁ, ମଧ୍ୟ ଓ ମାର୍‌ୱେ ବେଳାଭୂମିରେ ଅଧିକ ଜନଗହଳି ହେବାର ସମ୍ଭାବନା ଥିବାରୁ ସେଠାରେ ପୁଲିସ କର୍ମଚାରୀମାନଙ୍କୁ ମୁତୟନ କରାଯାଇଛି।

Share