6f87abb8 1b14 4267 8be5 6f15e0c4424d 750x430

ରାଉରକେଲା: ରାଉରକେଲା ବିମାନବନ୍ଦରରେ ଲାଗିରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସାଂସଦ ଜୁଏଲ ଓରାମ ଆଜି ପୁନର୍ବାର ଦାବି କରିଛନ୍ତି। ବେସାମରିକ ବିମାନ ଚଳାଚଳା ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟି ସବିଶେଷ ଆଲୋଚନା କରିବା ସହ ପଦକ୍ଷେପ ନେବାକୁ ଦୃଷ୍ଟି ଆକର୍ଷଣ କରିଥିଲେ। ଜବାବରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ବିଭାଗୀୟ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
ସାଂସଦ ଶ୍ରୀ ଓରାମ ଉଲ୍ଲେଖ କରିଥିଲେ, ଇତିମଧ୍ୟରେ ରାଉରକେଲା ବିମାନବନ୍ଦରରେ ସ୍ବତନ୍ତ୍ର ଭିଜୁଆଲ ଫ୍ଲାଇଟ୍‌ ରୁଲ୍‌ସ(ଭିଏଫ୍‌ଆର୍‌) କାର୍ଯ୍ୟକ୍ଷମ ହୋଇସାରିଛି। ତେବେ ଏବେବି ବହୁ ଆବଶ୍ୟକତା ଅସଂପୂର୍ଣ୍ଣ ରହିଛି। ରାଉରକେଲା ବିମାନବନ୍ଦରର ପ୍ରକୃତ ମାଲିକ ହେଉଛି ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି)। ଫଳରେ ଯେଉଁ ହାରରେ ଏହାର ବିକାଶ ହେବାକଥା, ତାହା ସମ୍ଭବ ହେଉନି। ଅବିଳମ୍ବେ ବିମାନବନ୍ଦର ମାଲିକାନାସତ୍ତ୍ବ ଭାରତୀୟ ବିମାନବନ୍ଦର ପ୍ରାଧିକରଣ(ଏଏଆଇ)କୁ ହସ୍ତାନ୍ତର କରାଯାଉ। ଏହାସହ ଏଏଆଇକୁ କିଛି କ୍ବାର୍ଟର ମଧ୍ୟ ଦିଆଯାଉ। ବିମାନବନ୍ଦରକୁ ୪ସି ଲାଇସେନ୍ସ ସହ ସିଧାସଳଖ ନୂଆଦିଲ୍ଲୀ ଓ ଅନ୍ୟାନ୍ୟ ସହରକୁ ବିମାନସେବା, ଇନ୍‌ଷ୍ଟ୍ରୁମେଣ୍ଟ୍‌ ଲ୍ୟାଣ୍ଡିଂ ସିଷ୍ଟମ୍‌(ଆଇଏଲଏସ୍‌) ବ୍ୟବସ୍ଥା, ରାତ୍ରିକାଳୀନ ବିମାନ ଅବତରଣ ବ୍ୟବସ୍ଥା ପାଇଁ ପ୍ରାଥମିକତା ଦେବାକୁ ଦାବି କରିଥିଲେ। ସେଲ୍‌ ଜମିରେ ବିମାନବନ୍ଦର ଗଢ଼ିଉଠିଥିବାରୁ ଉକ୍ତ ଜମି ଓ ବିମାନବନ୍ଦର ଅଧିକାରୀ, କର୍ମଚାରୀଙ୍କ ପାଇଁ ନିର୍ଦ୍ଦିଷ୍ଟସଂଖ୍ୟକ ବାସଗୃହ ଯୋଗାଇବାକୁ ମନ୍ତ୍ରୀ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ମନ୍ତ୍ରୀଙ୍କ ପ୍ରତିଶ୍ରୁତିପରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ବିମାନବନ୍ଦର ଆଶା ଫିଟିବାରେ ଲାଗିଛି। ସାକ୍ଷାତ ଆଲୋଚନାବେଳେ ରାଉରକେଲା ସଚେତନ ନାଗରିକ ମଞ୍ଚ ସଭାପତି ବିମଳ ବିଶି, ନିଟ୍ରାର ପୂର୍ବତନ ସଭାପତି ଫକୀର ମହାନ୍ତି ଉପସ୍ଥିତ ଥିଲେ।

Share